ଓଡିଆ ନ୍ୟୁଜ୍(ବ୍ୟୁରୋ):ମହାନଦୀରେ ବନ୍ୟା ପାଣି ଆସିବା ପରେ କୁଆଖାଇ, ଦୟାନଦୀର ପାଶ୍ୱର୍ବର୍ତିି ଅଂଚଳ ବନ୍ୟା ଘେରରେ ରହିଛି । ରାଜଧାନୀର ତଳିଆ ଅଂଚଳ ଗୁଡ଼ିକରେ ବସବାସ କରୁଥିବା ଲୋକମାନେ ଅସହାୟ ଅବସ୍ଥାରେ ଅଛନ୍ତି । ସୁନ୍ଦରପଦା, ଲିଙ୍ଗିପୁର, ଇଟିପୁର, କଲ୍ୟାଣପୁର, ଟିକରପଡ଼ା, ନୂଆଗାଁ, ନାଥପୁର ଗ୍ରାମବାସୀମାନେ ଅନାଥ ଅବସ୍ଥାରେ ଅଛନ୍ତି । ସେହିପରି ଚନ୍ଦକା ଓ ଅନ୍ୟାନ୍ୟ ଅଂଚଳ ବୁଡ଼ିଯିବାରୁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ହାଇଟେକ ଅଂଚଳରୁ ଲୋକମାନେ ପିଲାଛୁଆ ଧରି ପ୍ରାଣ ବିକଳରେ ଅନ୍ୟ ସ୍ଥାନକୁ ପଳାଇଛନ୍ତି । ସ୍ମାର୍ଟସିଟି ରାଜଧାନୀକୁ ବନ୍ୟା ବିପଦ ଘେରି ରହିଥିବା ବେଳେ ଏହାର ନିରାକରଣ ପାଇଁ ବିଏମସି ବା ପ୍ରଶାସନ ପାଖରେ ପ୍ରତିକାରର ବ୍ୟବସ୍ଥା କିଛି ନାହିଁ ।
ରାଜଧାନୀ ଉପକଣ୍ଠ ଅଂଚଳରୁ ପାଣି କିଭଳି ନିଷ୍କାସନ ହେବ ତାର ଯଥାର୍ଥ ଉପାୟ କରାଯାଇ ନାହିଁ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବର୍ଷ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସରକାର ସବୁ ଜାଣି ନଜାଣିଲା ପରି ରହୁଛନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ବନ୍ୟାଂଚଳ ଆକାଶ ମାର୍ଗରୁ ପରିଦର୍ଶନ କରୁଥିବା ବେଳେ ରାଜଧାନୀର ଉପକଣ୍ଠରେ ରହୁଥିବା ଗ୍ରାମଗୁଡ଼ିକ ବନ୍ୟା ଆକଣ୍ଠ କଲାଣି । ଏହା ସବୁ ଅଂଚଳରେ ରହୁଥିବା ଲୋକଙ୍କୁ ରିଲିଫ ପ୍ରଦାନ କରାଯାଇ ନାହିଁ । ବିଏମସି କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରିମାନଙ୍କ ପାଦ ଏହି ଅଂଚଳକୁ ପଡ଼ିନାହିଁ । ଲୋକଙ୍କ ଘର ଭିତରେ ପାଣି ସହିତ ସାପ ବେଙ୍ଗ ପଶିଲେଣି ।
ଏଭଳି ସ୍ଥିତିରେ ସରକାର କେବଳ ପ୍ରଚାର ସର୍ବସ୍ୱ ଘୋଷଣା କରି ଜନସାଧାରଣଙ୍କୁ ଭୁଆଁ ବୁଲାଇବା ନିତିରେ ଚାଲିଛନ୍ତି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଛନ୍ତି ଯେ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଦଳ ସଂଗ୍ରାମ ଜାରି ରଖିବ । ରାଜଧାନୀର ବିଭିନ୍ନ ଅଂଚଳ ବର୍ଷାଦିନେ ଦେଖା ଦେଉଥିବା ବନ୍ୟାର ପ୍ରତିକାର ପାଇଁ ସରକାରଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯିବ ।