ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବରରେ ସରକାରୀ ଜମି ହଡପ ଉଦ୍ୟମ ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ବମିଖାଲ ଓ ଭୋଇନଗର ଅଞ୍ଚଳରେ ସରକାରୀ ହଡ଼ପ ଘଟଣାର ସିବିଆଇ ତଦନ୍ତ ପାଇଁ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ପ୍ରକାଶ କରିଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ସରକାରଙ୍କ କୌଣସି ଏଜେନ୍ସିକୁ ସଂପୃକ୍ତ ନ କରି ସିବିଆଇକୁ ଏହି ଦାୟିତ୍ବ ହାଇକୋର୍ଟ ଦେଇଛନ୍ତି। ପ୍ରାଥମିକ ତଦନ୍ତ ଆରମ୍ଭ କରିବାକୁ ଭୁବନେଶ୍ବର ସିବିଆଇ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥ ଓ ଅପରାଧିକ ଦିଗରେ ତଦନ୍ତ କରାଯାଇ ଏଥିରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଠାବ କରାଯିବ। ପ୍ରାଥମିକ ତଦନ୍ତର ଫଳାଫଳରୁ ଯଦି କୌଣସି ପ୍ରମାଣ ଯଦି ମିଳେ ତେବେ ସିବିଆଇ ଆଗକୁ ବଢିବ। ବେଆଇନ ଆର୍ଥିକ କାରବାର, ଅପରାଧିକ ଦିଗ ଓ ଜମି ଜାଲିଆତିର ପ୍ରମାଣ ମିଳେ ତେବେ ସିବିଆଇ ଆଇନ ଅନୁଯାୟୀ ଆଗକୁ ଅଗ୍ରସର ହେବ ବୋଲି ହାଇକୋର୍ଟ କହିଛନ୍ତି। ବମିଖାଲ ଓ ଭୋଇନଗର ମୌଜାର ପ୍ରାୟ ୬ ଏକର ଜମିର ମାଲିକାନା ପ୍ରସଂଗ ନେଇ ଭୁବେନେଶ୍ବର ମୁନସିଫ କୋର୍ଟରେ କେତେକ ବ୍ୟକ୍ତି ମାମଲା ଦାୟର କରିଥିଲେ।
ରାଜ୍ୟ ସରକାର ମାମଲାରେ ଥିଲେ ପ୍ରତିପକ୍ଷ। ୧୯୮୯ରେ ମାମଲା ଦାୟର ହୋଇଥିବା ବେଳେ ୧୯୯୧ ଅକ୍ଟୋବର ୨୮ରେ ଏହି ବ୍ୟକ୍ତିମାନଙ୍କ ନାଁରେ ସଂପୃକ୍ତ ଜମି ରେକର୍ଡ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ଆବେଦନର ଭୁବନେଶ୍ବର ଜିଲ୍ଲା ଅଦାଲତ ଶୁଣାଣି କରି ମାମଲାର ସାନି ଶୁଣାଣି ପାଇଁ ୨୦୦୧ ଅକ୍ଟୋବର ୧୨ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ୨୦୧୨ ଜୁନ ୨୭ରେ ହାଇକୋର୍ଟ ଆବେଦନକୁ ଗ୍ରହଣ କରି ଜିଲ୍ଲା ଅଦାଲତଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ। ଏହି ରାୟର ପୁନର୍ବିଚାର ପାଇଁ ସାଧାରଣ ପ୍ରଶାସନ ବିଭାଗ ୨୦୧୯ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ୨୦୨୧ ଏପ୍ରିଲ ୮ରେ ହାଇକୋର୍ଟ ସରକାରଙ୍କ ପୁନର୍ବିଚାର ଆବେଦନର ଶୁଣାଣି କରି ୨୦୧୨ ଜୁନ ୨୭ର ନିର୍ଦ୍ଦେଶକୁ ରଦ୍ଦ କରିଥିଲେ। ନିମ୍ନ ଅଦାଲତଙ୍କୁ ୬ ମାସ ଭିତରେ ମାମଲାର ସାନି ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟ କାଏମ ରହିଥିବା ବେଳେ ନିମ୍ନ ଅଦାଲତରେ କିନ୍ତୁ ନିର୍ଦ୍ଧାରିତ ୬ ମାସ ଭିତରେ ଶୁଣାଣି ଶେଷ ହୋଇ ନଥିଲା। ରାଜ୍ୟ ସରକାର ଓ ବିଭିନ୍ନ ପକ୍ଷଙ୍କ ଯୋଗୁଁ ଶୁଣାଣି ଘୁଞ୍ଚି ଚାଲିଥିଲା।