ଟୋକିଓରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଜନେସ ମିଟକୁ କରିବେ ସମ୍ବୋଧନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ସକାଳେ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହିତ ଟୋକିଓରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ଦୂତାବାସର ରାଷ୍ଟ୍ରଦୂତ ଶିବି ଜର୍ଜଙ୍କ ସମେତ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଛନ୍ତି। ସେଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କର ଏହି ଗସ୍ତ ଓଡ଼ିଶା ଓ ଜାପାନ ମଧ୍ୟରେ ପାରସ୍ପରିକ ସଂପର୍କ ବୃଦ୍ଧି କରିବ ବୋଲି ବିଶ୍ବାସ ରହିଛି। ଏହି ପ୍ରତିନିଧି ଦଳରେ ଶିଳ୍ପ, ଏମ୍ଏସ୍ଏମ୍ଇ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦର ପୁନିଆ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହୋଇଛନ୍ତି। ଏହାବାଦ୍ ଇସ୍ପାତ, ଆଲୁମିନିୟମ, ବୟନଶିଳ୍ପ, ଖାଦ୍ୟ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସବୁଜ ହାଇଡ୍ରୋଜେନ ଓ ସବୁଜ ଆମୋନିଆ କ୍ଷେତ୍ରର ଉଦ୍ୟୋଗୀମାନେ ଜାପାନ ଗସ୍ତରେ ଯାଇଛନ୍ତି। ସେମାନେ ଜାପାନର ଶିଳ୍ପସଂସ୍ଥା ସହ ଓଡ଼ିଶାରେ ବ୍ୟବସାୟ ପାଇଁ ଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିବେ। ଆଜି ମୁଖ୍ୟମନ୍ତ୍ରୀ ନିପନ୍ ଷ୍ଟିଲ୍ କର୍ପୋରେସନର ପ୍ରତିନିଧି ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଇଜି ହାସିମୋଟୋଙ୍କୁ ଭେଟି ଏନଏସସି ଏବଂ ଓଡ଼ିଶା ସରକାରଙ୍କ ସହଯୋଗ ଉପରେ ଆଲୋଚନା କରିବେ। ବୁଧବାର ଦିନ ଓଡ଼ିଶା ବିଜିନେସ୍ ମିଟ୍ ୨୦୨୩ରେ ଯୋଗ ଦେଇ ଓଡ଼ିଶାରେ ବ୍ୟବସାୟ ସୁଯୋଗ ଏବଂ ବିନିଯୋଗ ଇକୋସିଷ୍ଟମ୍ ନେଇ ଜାପାନୀ କମ୍ପାନିଗୁଡ଼ିକ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଜାପାନର ଓଡ଼ିଆ ସମାଜ ସହିତ ଆଲୋଚନା ପରେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାତ୍ରୀ ଭୋଜନ କରିବେ। ଏଣେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମିଟୁ ୱାର୍କସ ଓ ନିପନ ଇସ୍ପାତ କାରଖାନା ପରିଦର୍ଶନ କରିବେ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨ ମସିହାରେ ଲଣ୍ଡନ ଗସ୍ତରେ ଯାଇଥିବାବେଳେ ୨୦୨୨ରେ ଇଟାଲି ଓ ଦୁବାଇ ଗସ୍ତରେ ଯାଇଥିଲେ। ଇଟାଲି ଓ ଦୁବାଇ ଗସ୍ତର ପ୍ରଥମ ଦିନରେ ନବୀନ ଇଟାଲୀର ରୋମ ସହରରେ ପହଞ୍ଚିବା ପରେ ନବୀନ ଇଟାଲୀରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନୀନା ମାଲହୋତ୍ରାଙ୍କୁ ଭେଟିଥିଲେ । ଏଠାରେ ମୁଖ୍ୟମନ୍ତ୍ରୀ ୬ ଦିନ ରହିଥିଲେ। ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ -WFP ପକ୍ଷରୁ ରୋମ୍‌କୁ ତାଙ୍କୁ ନିମନ୍ତ୍ରଣ କରଯାଇ ସେଠାରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡିଶାରେ ହୋଇଥିବା ରୂପାନ୍ତିକରଣ ଉପରେ ବର୍ତ୍ତା ଦେଇଥିଲେ ନବୀନ । କିପରି ଖାଦ୍ୟ କ୍ଷେତ୍ରରେ ଓଡିଶା ବଳକା ରାଜ୍ୟ ହୋଇପାରିଛି ସେ ବିଷୟରେ ତଥ୍ୟ ରଖିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ସହ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିବା, କୃଷି କ୍ଷେତ୍ରରେ ରାଜ୍ୟ ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମଧ୍ୟ ସେ ଅବଗତ କରାଇଥିଲେ । ତେବେ ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍‌ର ଏକ୍‌ଜିକ୍ୟୁଟିଭ୍ ଡିରେକ୍ଟର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟି ଓଡିଶାରେ ବିଭିନ୍ନ ପ୍ରକଳ୍ପ କରିବା ପାଇଁ ଆଲୋଚନା କରିଥିଲେ। ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଏକ ମଡେଲ୍ ଷ୍ଟେଟ୍ ହୋଇଛି । କିଭଳି ଓଡ଼ିଶାରେ ବିପର୍ଯ୍ୟୟ ବେଳେ ମୁକାବିଲା କରୁଛି ସେ ସମ୍ପର୍କରେ ସାରା ବିଶ୍ୱ ଆଗରେ ମତ ରଖିଥିଲେ ନବୀନ । ଏହି ଗସ୍ତ ସମୟରେ ୟୁରୋପର ବିଭିନ୍ନ ଦେଶ ନେଦରଲ୍ୟାଣ୍ଡ, ଜର୍ମାନୀ, ବେଲିଜିୟମ୍, ଇଟାଲିରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଭେଟିଥିଲେ ।

Leave A Reply

Your email address will not be published.