ଓଡ଼ିଆ ନ୍ୟୁଜ୍ : ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷାରୁ ଜଳପ୍ରଳୟ। ଜମ୍ମୁ-କାଶ୍ମୀରରେ ଆକାଶରୁ ବର୍ଷୁଛି ଆତଙ୍କ । ପ୍ରବଳ ବର୍ଷା ଯୋଗୁଁ ଉଛୁଳୁଛି ନଦୀନାଳ। ରାଜୌରୀ, ଅନନ୍ତନାଗ ଏବଂ ଉଧମପୁର ସମେତ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଭୟାବହ ରୂପ ଧାରଣ କରିଛି । ରାଜୌରୀ ଜିଲ୍ଲାର ଦରହଲ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇବା ଯୋଗୁଁ ପାଖାପାଖି ୨୦୦ରୁ ଅଧିକ ଗାଡ଼ି ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସିଯାଇଛି । ସ୍ଥାନୀୟ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ ରୂପେ ଜଳମଗ୍ନ ହୋଇଯାଇଥିବା ବେଳେ ତଳିଆ ଅଞ୍ଚଳରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେବଳ ରାଜୌରୀ ନୁହେଁ, ବରଂ ରାଜଧାନୀ ଶ୍ରୀନଗର ଏବଂ ଉଧମପୁରରେ ମଧ୍ୟ ସକାଳୁ ଲଗାତାର ବର୍ଷା ଜାରି ରହିଛି ।
ବର୍ଷା ଯୋଗୁଁ ତାପମାତ୍ରାରେ ବଡ଼ ଧରଣର ହ୍ରାସ ଘଟିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ଦେଖାଦେଇଥିବାରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକ ଓ ପର୍ୟ୍ୟଟକମାନଙ୍କୁ ବିନା କାରଣରେ ବାହାରକୁ ନବାହାରିବାକୁ ଏବଂ ନଦୀନାଳଠାରୁ ଦୂରରେ ରହିବାକୁ ଅପିଲ୍ କରାଯାଇଛି । ଆଗକୁ ପରିସ୍ଥିତି ଆହୁରି ଜଟିଳ ହୋଇପାରେ । ପାଣିପାଗ ବିଭାଗ ଆଗାମୀ ୪୮ ଘଣ୍ଟା ପାଇଁ ଘାଟି ଏବଂ ଜମ୍ମୁ ସଂଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ଚେତାବନୀ ଜାରି କରିଛି । ବିଶେଷ କରି ଜମ୍ମୁ, କଠୁଆ, ସାମ୍ବା, ରାଜୌରୀ, ଡୋଡା, ରାମବନ ଏବଂ କିଶ୍ତୱାଡ଼ ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି।