ବିଧାୟକମାନଙ୍କ ଘର ନିର୍ମାଣ ପାଇଁ ଗଛକଟା ପ୍ରସଙ୍ଗ: ସତ୍ୟପାଠ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ଲାଗି ବ୍ୟାପକ ଗଛକଟାକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ନଭେମ୍ବର ୧୭ ପୂର୍ବରୁ ଏହି ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ମାମଲାର ପରବର୍ତୀ ଶୁଣାଣି ନଭେମ୍ବର ୧୭ ରେ ହେବା ପାଇଁ ଧାର୍ଯ୍ୟ ହୋଇଛି। ସ୍ବେଚ୍ଛାସେବୀ ଜୟନ୍ତୀ ଦାସଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ବୃକ୍ଷ ରୋପଣ ପାଇଁ ସ୍ଥାନ ଚିହ୍ନଟ ହୋଇଛି ଏବଂ ଯେତିକି ଗଛ କଟାଯାଇଛି ତାର ଦୁଇ ଗୁଣା ଗଛ ଲଗାଯିବ ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଥିଲା। ଏହି ସତ୍ୟପାଠ ଉପରେ ପ୍ରତି ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ଏହି ମାମଲାରେ ସ୍ବେଚ୍ଛାସେବୀ ଜୟନ୍ତୀ ଦାସ ଦର୍ଶାଇଛନ୍ତି ‌ଯେ, ରାଜ୍ୟ ସରକାର ଭୁବନେଶ୍ୱର ୟୁନିଟ-୪ରେ ବିଧାୟକ ମାନଙ୍କ ପାଇଁ ବହୁତଳ ବିଶିଷ୍ଟ କ୍ୱାର୍ଟର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ପ୍ରକଳ୍ପ ପାଇଁ ଅଞ୍ଚଳରେ ଥିବା ବହୁ ପୁରୁଣା ଗଛ ଗୁଡିକ କଟାଯାଉଛି। ୮୭୦ଟି ଗଛ ଏଥିପାଇଁ କଟାଯବାକୁ ଯୋଜନା ରହିଛି। ଏହା ଦ୍ୱାରା ଭୁବନେଶ୍ୱରର ପରିବେଶ ଉପରେ ପ୍ରଭାବ ପଡିବ। ଏପରି ବେଆଇନ ଗଛକଟାକୁ ବନ୍ଦ କରିବାକୁ ତୁରନ୍ତ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏବେ ସୁଦ୍ଧା କେତେ ଗଛ କଟା ଗଲାଣି ଓ ଏ ବାବଦରେ କେତେ କ୍ଷତିପୂରଣ ରାଶି ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ଗାଇଡଲାଇନ ଅନୁସାରେ ଜମା କରାଯାଇଛି; ସେ ନେଇ ପ୍ରତିପକ୍ଷ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏହି ମାମଲାରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ସମେତ ୧୦ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ଏହି ମାମଲା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.