ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ତାଙ୍କର ୭୪ତମ ଜନ୍ମଦିବସରେ ଭୁବନେଶ୍ଵରର ଜନତା ମଇଦାନଠାରେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି | ଆଜି ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଲକ ପ୍ରଶାସନ ଓ ପୌରପରିଷଦ ପକ୍ଷରୁ ସିଧା ପ୍ରସାରଣ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା | ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ଓ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ କେନ୍ଦ୍ରାପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଏଲଇଡି ମାଧ୍ୟମରେ ଦେଖିଥିଲେ |
ବ୍ଲକ ଓ କେନ୍ଦ୍ରାପଡ଼ା ପୌରପରିଷଦ ପକ୍ଷରୁ ଇଚ୍ଛାପୁର ମଉସୀମା ମନ୍ଦିର ନିକଟରେ ମିଳିତ ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, କେନ୍ଦ୍ରାପଡ଼ା ବିଡିଓ ବନ୍ଦନା ଖଟୁଆ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶନୀ ଓ କୁଇନ ଜେନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ, କେନ୍ଦ୍ରାପଡ଼ା ପୌରପରିଷଦ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଏବିଡିଓ ଅନିରୁଦ୍ଧ ବେହେରା, ସିଡିପିଓ କବିତା ନାୟକ ପ୍ରମୁଖ ଯୋଗଦେଇଥିଲେ | ସ୍ଵଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନା ଅଧୀନରେ “ସ୍ଵଚ୍ଛତା ହିଁ ସେବା-୨୦୨୪” କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ପୌରପରିଷଦ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଉପସ୍ଥିତ ସମସ୍ତ ହିତାଧିକାରୀ, ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା ଏବଂ ଅନ୍ୟମାନଙ୍କୁ ସ୍ଵଚ୍ଛତାର ଶପଥ ପାଠ କରାଇଥିଲେ | ସ୍ଵଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନା ଏକ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ବେଳେ ଏହାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ଵ ଦେଉଛନ୍ତି ଏବଂ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସ୍ଵଚ୍ଛତା ହିଁ ସେବା-୨୦୨୪ କାର୍ଯ୍ୟକ୍ରମ ସାରା ଜିଲ୍ଲାରେ ଚାଲୁ ରହିବ |
ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ କେନ୍ଦ୍ରାପଡ଼ା ବିଡିଓ ବନ୍ଦନା ଖଟୁଆ ସୁଭଦ୍ରା ଯୋଜନା ସମ୍ପର୍କରେ ନିଜର ମତ ରଖିଥିବା ବେଳେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ ସୁଭଦ୍ରା ଯୋଜନା ଯୋଗୁଁ ମହିଳାମାନଙ୍କ ସାମଗ୍ରିକ, ବ୍ୟକ୍ତିଗତ ଓ ଅର୍ଥନୈତିକ ବିକାଶ ସମ୍ଭବ ହେବା ସଙ୍ଗେ ସଙ୍ଗେ ସେମାନେ ସଶକ୍ତ ହୋଇପାରିବେ ବୋଲି ମତ ବ୍ୟକ୍ତ କରିଥିଲେ | ରାଜ୍ୟ ସରକାରଙ୍କ ଏହି ମହତାକାଂକ୍ଷୀ ଯୋଜନା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ଏବଂ ଏହି ଯୋଜନରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ ନ ପଡନ୍ତି ତାର ବ୍ୟବସ୍ଥା କରାଯାଇଛି ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ | ଆଜି ଡିବିଟି ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ୨୫ ଲକ୍ଷରୁ ଉର୍ଦ୍ଧ ମହିଳାଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଯୋଜନାର ସହାୟତା ରାଶି ପଠାଇଛନ୍ତି | ଏହି ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୬ ଜଣଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ହସ୍ତାନ୍ତର କରାଯାଇଥିବା ବେଳେ ୨୨୫ଜଣଙ୍କୁ ଗୃହ ପ୍ରବେଶ ପାଇଁ ଅନୁମତି (ଚାବି) ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ, ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା, କେନ୍ଦ୍ରାପଡ଼ା ବ୍ଲକ ପ୍ରଶାସନ ଓ କେନ୍ଦ୍ରାପଡ଼ା ପୌରପରିଷଦର କର୍ମକର୍ତ୍ତା, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ |