କାର୍ ଧକ୍କାରେ କାଉଡିଆ ମୃତ, ଦୁଇ ଗୁରୁତର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରାବଣର ଦ୍ବିତୀୟ ସୋମବାରରେ ବଡ଼ ଅଘଟଣ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର। ଘଟଣାସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକରେ ଏକ କାର ଧକ୍କାରେ ଜଣେ କାଉଡିଆଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ରବିବାର ବସୁପଦା ଗାଁର ୩ଜଣ କାଉଡିଆ ଚିତ୍ରୋତ୍ପଳା  ନଦୀର ନେମାଳ ଘାଟରୁ ପାଣି ଉଠାଇ ଫଗୋଳ ସିଦ୍ଧେଶ୍ଵର ମନ୍ଦିର ଅଭିମୁଖେ ଯାଉଥିଲେ। ମୃତ ମହିଳା କାଉଡିଅଜଣଙ୍କ ହେଲେ ବସପଦା ଜିହ୍ନିପୁରର ଚିନ୍ମୟୀ ବେହେରା । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଦୁଇ କାଉଡ଼ିଆ ହେଲେ ଦୀପ୍ତିରଞ୍ଜନ ରାଉତ ଓ ପୂର୍ଣ ଚନ୍ଦ୍ର ବେହେରା। ଗତକାଲି ୩୭ଜଣ କାଉଡ଼ିଆ ଭକ୍ତ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟ ବାବୁଜଙ୍ଗରୁ ପାଣି ଉଠାଇଥିଲେ। ସେଠାରୁ ସେମାନେ ପାଇକରାପୁର ସିଦ୍ଧେଶ୍ୱର ମହାଦେବଙ୍କ ପାଖକୁ ଯାଉଥିଲେ।

ମାତ୍ର କାଉଡ଼ିଆମାନେ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ହୋଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଏହାପରେ କାର୍‌ଟି ଭାରସାମ୍ୟ ହରାଇ କାଉଡ଼ିଆମାନଙ୍କ ସହ ଯାଉଥିବା ପିକଅପ ଭ୍ୟାନରେ ପିଟି ହୋଇଗଲା। ଏହାପରେ ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକେ ୩ ଜଣଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ଗୁରୁତର ୨ ଜଣଙ୍କୁ କଟକ ବଡ ମେଡିକାଲକୁ ରେଫର କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।

Comments are closed.