ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେନ୍ଦୁଝର ପ୍ରଶାସନ ନେଲା ଆଗୁଆ ପଦକ୍ଷେପ, ଜିରୋ କାଜୁଆଲିଟି ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, କେନ୍ଦୁଝରଙ୍କ ପକ୍ଷରୁ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା।
ଏହି ସନ୍ଦର୍ଭରେ ଜିଲ୍ଲାପାଳ ସମସ୍ତ ବିଭାଗକୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେବା ସହ ଶୂନ୍ୟ ହତାହତ ସୁନିଶ୍ଚିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏଥିସହ ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ତରଫରୁ ପ୍ରଣୀତ ସମସ୍ତ ନିୟମାବଳୀକୁ ଯଥାବିଧି ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।
ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ପାଇଁ ବିଦ୍ୟାଳୟ, ଡାକ୍ତରଖାନା, ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପରିବହନ ବ୍ୟବସ୍ଥା ତଥା ଗୁରୁତ୍ବପୂର୍ଣ୍ଣ ସାର୍ବଜନୀନ ସ୍ଥାନ ମାନଙ୍କରେ ଯଥେଷ୍ଟ ମାତ୍ରାରେ ପାନୀୟ ଜଳ, ଓ.ଆର୍.ଏସ୍. ଏବଂ ଆସୁ ଚିକିତ୍ସା ବାକ୍ସ ଇତ୍ୟାଦିର ସୁବିଧା ଉପଲବ୍ଧ କରାଇବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।
ଏଥିସହ କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ତୁରନ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।