ପଣା ସଂକ୍ରାନ୍ତିର ପୂଜାଵିଧି ଜାଣନ୍ତୁ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପଣା ସଂକ୍ରାନ୍ତି ବା ଏହାକୁ ମହାବିଷୁବ ସଂକ୍ରାନ୍ତି ବୋଲି କୁହାଯାଏ । ପଣା ସଂକ୍ରାନ୍ତଠୁ ଓଡିଆ ମାସ ବୈଶାଖ ମାସ ଆରମ୍ଭ ହୁଏ । ଏହି ଦିନ ଭଗବାନଙ୍କ ନିକଟରେ ପଣାଭୋଗ ଲାଗି ହୋଇଥାଏ । ସୂର୍ଯ୍ୟଦେବ ଯେତେବେଳେ ମେଷ ରାଶିରେ ପ୍ରବେଶ କରନ୍ତି, ସେତେବେଳେ ରାଶି ଚକ୍ରର ଆରମ୍ଭ ହୋଇଥାଏ ଏବଂ ସେହି ଦିନଠୁ ଓଡିଆ ନବବର୍ଷ ରୂପେ ପାଳନ କରାଯାଏ । ସୂର୍ଯ୍ୟଦେବ ଏହି ଦିନଠୁ ମେଷ ରାଶିରେ ପ୍ରବେଶ କରୁଥିବାରୁ ଏହାକୁ ମେଷ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ସମସ୍ତ ରୋଗରୁ ମୁକ୍ତି ପାଇଁ ସୂର୍ଯ୍ୟ ଦେବଙ୍କୁ ଶୀତଳ ଜଳ ଅର୍ପଣ କରାଯାଏ ।

ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ।

ପୂଜା ବିଧି : ଘର ଚଉରା ମୂଳରେ ଏକ ଗବ ଗଛର ବାଡି ଚଉରାର ପୁଇ ପାଖରେ ପୋତା ଯାଏ । ସେହି ବାଡିରେ ବାଣି ବା ଶିକା ସାହାଯ୍ୟରେ ଏକ ଛୋଟ ମାଟି କଳସ ବନ୍ଧା ଯାଇଥାଏ । ସେହି କଳସୀର ତଳେ ଏକ ଛୋଟ ଛିଦ୍ର କରାଯାଇଥାଏ । ଉକ୍ତ କଳସୀରେ ଏକ ଢାଙ୍କୁଣି ରହିଥାଏ । ଏହାକୁ ଭଲ ଭାବରେ ଧୋଇ, ଚନ୍ଦନ, ସିନ୍ଦୂର, ଚିତାରେ ସୁସଜ୍ଜିତ କରାଯାଇଥାଏ । ଏହି ଠେକିକୁ ପୂଜା କରାଯାଇ ଶିକାରେ ରଖାଯାଏ । ଚଉରାମୂଳେ ପଣା ଭୋଗ ହୋଇଥାଏ । ପ୍ରରବର୍ତ୍ତୀ ସଙ୍କ୍ରାନ୍ତି ପର୍ଯ୍ୟନ୍ତ ଏହି ଠେକିରେ ଜଳ ଢଳାଯାଇଥାଏ । କଳସୀର ଛିଦ୍ର ଦେଇ ଚଉରାରେ ଥିବା ତୁଳସୀ ଗଛ ଉପରେ ବୁନ୍ଦା ବୁନ୍ଦା ହୋଇ ପାଣି ପଡିଥାଏ । ଚଉରାରେ ବନ୍ଧା ଯାଇଥିବା ଏହି କଳସୀକୁ ବସନ୍ତ ଘଡି ବା ବସନ୍ତ ବଢା କୁହାଯାଇଥାଏ ।

Leave A Reply

Your email address will not be published.