କୁନି ଅପା ଦଳ ପାଇଁ ସଂଘର୍ଷ, ସମର୍ପଣ ଓ ପରିଶ୍ରମର ଏକ ବେଞ୍ଚମାର୍କ ଛାଡି ଯାଇଛନ୍ତି- ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୂର୍ବତନ ବିଧାୟିକା ଓ କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ସ୍ୱର୍ଗତ ନିବେଦିତା ପ୍ରଧାନ ତଥା କୁନି ଅପା ଆମ ଦଳ ପାଇଁ ସଂଘର୍ଷ, ସମର୍ପଣ ଓ ପରିଶ୍ରମର ଏକ ବେଞ୍ଚମାର୍କ ଛାଡି ଯାଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୁଧବାର ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଏବଂ ନିବେଦିତା ପ୍ରଧାନଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଆମ ସମସ୍ତଙ୍କର ପ୍ରେରଣା ଅଟଳଜୀଙ୍କ ଓଡ଼ିଶା ପ୍ରତି ଦାୟିତ୍ୱ ଓ ଅଭିବ୍ୟକ୍ତିକୁ ଯେଭଳି ଓଡ଼ିଶା ଭୁଲି ପାରିବ ନାହିଁ ସେଭଳି ଦଳ ପ୍ରତି କୁନି ଅପାଙ୍କ ଯୋଗଦାନକୁ କେବେ ଭୁଲା ଯାଇ ପାରିବ ନାହିଁ । ପରିବାରର ଆର୍ଥିକ ଅଭାବ ସତ୍ତ୍ୱେ ସେ ସର୍ବଦା ଦଳୀୟ କାର୍ଯ୍ୟକୁ ପ୍ରାଥମିକତା ଦେଉଥିଲେ । ତାଙ୍କର ତ୍ୟାଗ, ସମର୍ପଣ, ପରିଶ୍ରମ କାରଣରୁ ଦଳ ଆଜି ଏହି ଜାଗାରେ ପହଞ୍ଚିଛି ।

ମାଲାକାନଗିରି ଭଳି ଅଞ୍ଚଳରେ ମଧ୍ୟ ତାଙ୍କୁ ସମସ୍ତେ ମନାପକାନ୍ତି । କୁନି ଅପାଙ୍କ ବିୟୋଗ ମୋ ପାଇଁ ଅବିଶ୍ୱାସନୀୟ ଥିଲା । କୁନି ଅପା ଆମ ଦଳ ପାଇଁ ସଂଘର୍ଷ, ସମର୍ପଣ ଓ ପରିଶ୍ରମର ଏକ ବେଞ୍ଚମାର୍କ ଛାଡି ଯାଇଛନ୍ତି । ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ପାଖରେ ପୁଣ୍ୟ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.