ଲଘୁଚାପ ସୃଷ୍ଟି: ୨ ଦିନ ଅତିପ୍ରବଳ ବର୍ଷା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲାଂଦେଶ ଓ ଆଖପାଖ ଅଞ୍ଚଳରେ ରବିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଉତ୍ତର ଦିଗରେ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଦେଇ ଗତି କରିବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ସୋମବାର ଓ ମଙ୍ଗଳବାର ଉତ୍ତର ଓଡ଼ିଶା ଯଥା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଥିସହ ଉପକୂଳ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୨୭ ତାରିଖରେ ବଡ଼ ବର୍ଷା ନ ଥିବା ବେଳେ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଢ଼େଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମାଲକାନଗିରି ଓ କୋରାପୁଟ ଆଦି ଜିଲାରେ ୭ରୁ ୧୧ ସେମି ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

ମଙ୍ଗଳବାର ମଧ୍ୟ ୪ ଜିଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଏବଂ ପ୍ରବଳ ବର୍ଷା ନେଇ ୧୩ ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି | ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସହ କଚ୍ଚା‌ ରାସ୍ତା ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ଠିକ୍‌ କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଏସ୍‌ଆରସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

Comments are closed.