ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁବନେଶ୍ୱର ସାଲିଆସାହି ପାଲଟିଛି ଦେଶୀ ମଦର ହବ୍। ଯେତେ ଚଢ଼ାଉ ହେଉଛି ସେତିକି ମଦ ଭାଟି ଠାବ ହେଉଛି। ଆଜି ପୁଣି ମୁଣ୍ଡା ସାହିରେ ଚଢାଉ କରିଛି ଅବକାରୀ ବିଭାଗ। ଚଢାଉ ବେଳେ ଚୋରା ମଦ ଭାଟି ଠାବ କରିବା ସହ ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରିଛି କମିଶନରେଟ ପୁଲିସ।
ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଚଢାଉକୁ ବ୍ୟାପକ କରାଯାଇଥିଲା। ଘର ଭିତରେ ସୁଡଙ୍ଗ କରି ତିଆରି ହେଉଥିଲା ମଦ। ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରିଛନ୍ତି ଅବକାରୀ କର୍ମଚାରୀ। ଏଥିସହ ମଦ ପ୍ରସ୍ତୁତ ପାଇଁ ରଖା ଯାଇଥିବା ପିଡ଼ିଆକୁ ମଧ୍ୟ ନଷ୍ଟ କରିଛି ଅବକାରୀ ବିଭାଗ ସ୍କ୍ୱାଡ୍। ଦୁଇ ଦିନ ତଳେ ଆର୍ଥାତ ଶନିବାର ସାଲିଆସାହିର ନୟାଗଡ଼ ସାହି, ମୁଣ୍ଡା ସାହିରେ ଚଢାଉ କରି ୩ଟି ବେଆଇନ ମଦ ଭାଟିକୁ ନଷ୍ଟ କରିଥିଲା କମିଶନରେଟ ପୁଲିସ।
ପାଖାପାଖି ସାଢ଼େ ୫ହଜାର ଲିଟର ମଦ ଜବତ କରିବା ସହ ୧୫ ହଜାର ଲିଟର ପୋଚକୁ ନଷ୍ଟ କରାଯାଇଥିଲା। ଘର ଭିତରେ ସିକ୍ରେଟ ଚାମ୍ବରରେ ମଦ କାରବାର ଚାଲିଥିଲା। ସୂଚନାଯୋଗ୍ୟ, ଚିକିଟି ମଦ ମୃତ୍ୟୁ ଘଟଣାପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବେଆଇନ ମଦ ଭାଟିରେ ଚଢ଼ାଉ କରାଯାଇ ଦେଶୀମଦ ଜବତ କରାଯିବା ସହ ମଦ ମାଫିଆଙ୍କୁ ଗିରଫ କରାଯାଉଛି।