ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ତଥାପି ଜାରି ରହିବ ଖେଲା, ମମତା ବାନାର୍ଜୀ ଆରମ୍ଭ କଲେ ‘ଖେଲା ହୋବେ’ ଯୋଜନା

0

ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ‘ଖେଲା ହୋବେ’ ଏବେ ବି ଜାରି ରହିଛି । ପଶ୍ଚିମବଙ୍ଗରେ ଯେଉଁ ‘ଖେଲା ହୋବେ’ ନାରା ଦମରେ ଟିଏମସି ମାହୋଲ ସୃଷ୍ଟି କରିବାରେ ସଫଳ ହୋଇଥିଲା, ବର୍ତମାନ ମମତା ବାନାର୍ଜୀ ସରକାର ସେହି ‘ଖେଲା ହୋବେ’କୁ ଏକ ଯୋଜନାର ନାମ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କ୍ରୀଡାର ବିକାଶ ଏବଂ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ‘ଖେଲା ହୋବେ’ ନାମରେ ଏକ ସରକାରୀ ଯୋଜନା ଆରମ୍ଭ କରିଛନ୍ତି, ଯାହା ଆଧାରରେ ପଞ୍ଜୀକୃତ କ୍ଲବକୁ ଫୁଟବଲ୍ ଦିଆଯିବ ।

ସରକାରୀ ଆଦେଶ ଅନୁଯାୟୀ, ‘ଖେଲା ହୋବେ’ ଯୋଜନା ଆଧାରରେ ରାଜ୍ୟରେ କ୍ରୀଡାର ବିକାଶ ଏବଂ ଫୁଟବଲ ଖେଳିବା ପାଇଁ ଯୁବ ବର୍ଗ ଓ ଛାତ୍ର-ଛାତ୍ରୀଙ୍କୁ ପ୍ରୋତ୍ସାହନ ଦିଆଯିବ । ଏଥିପାଇଁ ପଞ୍ଜୀକୃତ କ୍ଲବଗୁଡିକୁ ଫୁଟବଲ ଯୋଗାଇ ଦିଆଯିବାକୁ ନିଷ୍ପତି ହୋଇଛି । ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ପଞ୍ଜୀକୃତ କ୍ଲବଗୁଡିକୁ ଫୁଟବଲ୍ ଦିଆଯିବ ।

ଆଦେଶରେ କୁହାଯାଇଛି, ଫୁଟବଲ୍ ନିର୍ମାଣକାରୀ କମ୍ପାନୀ ରିଫ୍ୟୁଜି ହ୍ୟାଣ୍ଡିକ୍ରାଫ୍ଟ ସରକାରଙ୍କୁ ଏହି ଯୋଜନା ପାଇଁ ଫୁଟବଲ୍ ଯୋଗାଣ କରିବ । କେଉଁ କ୍ଲବକୁ କେତେ ଫୁଟବଲ୍ ଦିଆଯିବ, କେଉଁ ତାରିଖରେ ବିତରଣ କରାଯିବ ଏଥିସହ ସଂପର୍କିତ ସମସ୍ତ ସୂଚନା ଶୀଘ୍ର ଜାରି କରାଯିବ । ରାଜ୍ୟର ସମସ୍ତ ଜିଲ୍ଲା ୟୁଥ୍ ଅଧିକାରୀଙ୍କୁ ସମସ୍ତ ପଞ୍ଜୀକୃତ କ୍ଲବର ସୂଚନା ଦେବାକୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାର କ୍ୟାମ୍ପନିଂ ସମୟରେ ସ୍କୁଲ ଛାତ୍ର-ଛାତ୍ରୀ ଏବଂ କ୍ଲବଗୁଡିକୁ ଫୁଟବଲ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଜୋଇ ବ୍ରାଣ୍ଡର ୫୦ ହଜାର ଫୁଟବଲ୍ କ୍ଲବଗୁଡିକୁ ଦିଆଯିବ ବୋଲି ମମତା ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ଖେଲା ହୋବେ ନାରା ଖୁବ୍ ଚର୍ଚ୍ଚାରେ ରହିଥିଲା । ଟିଏମସିର ନିର୍ବାଚନୀ ସଭାରେ ଏହି ନାରା ଖୁବ୍ ଶୁଣିବାକୁ ମିଳିଥିଲା ।

Leave A Reply

Your email address will not be published.