ଏପ୍ରିଲ ୧ରୁ ମହଙ୍ଗା ହେବ ମେଡିସିନ୍: ଆହୁରି ୧୨ ପ୍ରତିଶତ ବଢ଼ିଯିବ ଅତିଜରୁରୀ ଔଷଧ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏପ୍ରିଲ ୧ରୁ ମହଙ୍ଗା ହେବ ମେଡିସିନ୍। ମହଙ୍ଗା ହେବାକୁ ଥିବା ଜରୁରୀ ଔଷଧ ଭିତରେ ରହିଛି ୮ଶହରୁ ଅଧିକ ଔଷଧ । ଯାହା ଦର ଅଛି, ଆହୁରି ୧୨ ପ୍ରତିଶତ ବଢ଼ିଯିବ ଅତିଜରୁରୀ ଔଷଧ । ଫଳରେ ନିତିଦିନିଆ ଔଷଧ ଖାଉଥିବା କ୍ରୋନିକ୍ ଡିଜିଜ୍ ରୋଗୀ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ତେଣେ ରୋଗୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେବାକୁ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ କହିଥିବାବେଳେ ଜେନେରିକ୍ ମେଡିସିନ୍ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ପେନ୍ ବଢ଼ାଇଦେବ ପେନ୍ କିଲର । ବିପି ବଢ଼େଇବ ବ୍ଲଡ୍ ପ୍ରେସର ମେଡିସିନ୍ । କାରଣ ଏପ୍ରିଲ ପହିଲାରୁ ମହଙ୍ଗା ହେବ ଔଷଧ । ନିଇତି ଦରକାର ପଡ଼ୁଥିବା ଅତ୍ୟାବଶ୍ୟକ ଔଷଧ ଦାମ୍ ୧୨ ପ୍ରତିଶତ ବଢ଼ିଯିବ । ପାଇକାରୀ ମୂଲ୍ୟ ସୂଚୀ-WPI ବୃଦ୍ଧି ଆଧାରରେ ୨୭ଟି ବର୍ଗର ୮୦୦ରୁ ଅଧିକ ଔଷଧର ମୂଲ୍ୟ ବଢ଼ାଇବାକୁ କମ୍ପାନିଙ୍କୁ ଅନୁମତି ଦେଇଛି ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି-NPPA ।

ଏପ୍ରିଲ ୧ରୁ ମହଙ୍ଗା ହେବାକୁ ଯାଉଥିବା ଏ ଔଷଧ ତାଲିକାରେ ରହିଛି, ପେନ୍ କିଲର୍ ଡାଇକ୍ଲୋଫେନାକ୍, ମରଫିନ୍ ଠାରୁ ଆରମ୍ଭ କରି ଜ୍ୱର ଔଷଧ ପାରାସିଟାମଲ୍, ଆଣ୍ଟିବାୟୋଟିକ୍ ଆମୋକ୍ସିସିଲିନ୍, ସେଫାଡ୍ରକ୍ସିଲ, ମ୍ୟାଲେରିଆ ଔଷଧ କ୍ଲୋରାକୁଇନ୍, କୁଇନାଇନ୍, ରକ୍ତହୀନତା ପାଇଁ ବ୍ୟବହାର ହେଉଥିବା ଫଲିକ୍ ଏସିଡ୍, ଆଇରନ୍ ସୁକ୍ରୋଜ୍ ସମେତ ହେପାଟାଇଟିସ୍-ବି, ଜାପାନିଜ୍ ଏନସେଫାଲାଇଟିସ ଓ ମିଳିମିଳା ଭ୍ୟାକସିନ୍ ଇତ୍ୟାଦି । କେମିଷ୍ଟ୍ର ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ କହିବା କଥା, ଚୀନରୁ କଞ୍ଚାମାଲ ଆମଦାନୀରେ ରୋକ୍ ଲାଗିଥିବାରୁ ଔଷଧ କମ୍ପାନିଙ୍କ ଲାଗି ୟୁରୋପୀୟ ବଜାରରୁ କଞ୍ଚାମାଲ କିଣିବା ବ୍ୟୟବହୁଳ ହେଉଛି । ତାଛଡ଼ା ତେଲ ଦର ବୃଦ୍ଧି ଯୋଗୁ ବି ଔଷଧ ପରିବହନ ଖର୍ଚ୍ଚ ବଢ଼ିଛି । ଯେଉଁଥିପାଇଁ ମେଡିସିନ୍ ଦାମ ବଢ଼ାଇବାକୁ ବାଧ୍ୟ ହେଉଛନ୍ତି କମ୍ପାନି । ଏସବୁ ସତ୍ତ୍ୱେ ଔଷଧ କମ୍ପାନି ଓ ସରକାର, ରୋଗୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ଅତ୍ୟାବଶ୍ୟକ ଔଷଧଗୁଡ଼ିର ଏଭଳି ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । କହିଛନ୍ତି- ମଧୁମେହ, ହୃଦରୋଗ ଓ ବ୍ଲଡ୍ ପ୍ରେସର ପାଇଁ ସାରା ଜୀବନ ମେଡିସିନ୍ ଖାଉଥିବା କ୍ରୋନିକ୍ ରୋଗୀ ହିଁ ସର୍ବାଧିକ ପ୍ରଭାବିତ ହେବେ । ଏହାଛଡ଼ା ହାଇଏଣ୍ଡ ଆଣ୍ଟିବାୟୋଟିକ୍ ଦାମ ବଢ଼ିବା ଫଳରେ ଡାକ୍ତରଖାନାରେ ଚିକିତ୍ସିତ ରୋଗୀ ବି ପ୍ରଭାବିତ ହେବେ । ଏଭଳି କ୍ଷେତ୍ରରେ ଔଷଧ ଦରଦାମ୍ ବୃଦ୍ଧିରୁ ମୁକୁଳିବା ପାଇଁ ଲୋକମାନେ ବ୍ରାଣ୍ଡେଡ୍ ମେଡିସିନ୍ ବଦଳରେ ଜେନେରିକ୍ ମେଡିସିନ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଜେନେରିକ୍ ମେଡିସିନ୍ ବ୍ୟବହାର ପାଇଁ ଲୋକମାନଙ୍କୁ ବାରମ୍ବାର ପ୍ରୋତ୍ସାହିତ କରୁଛନ୍ତି ସରକାର ।

ସେପଟେ ନିମ୍ନମାନର ଔଷଧ ପ୍ରସ୍ତୁତ କରୁଥିବା ଯୋଗୁଁ ୧୮ଟି ଔଷଧ କମ୍ପାନୀର ଳାଇସେନ୍ସ ରଦ୍ଦ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ୭୬ରୁ ଅଧିକ କମ୍ପାନୀ ଦ୍ବାରା ପ୍ରସ୍ତୁତ ଔଷଧର ମାନ ଯାଞ୍ଚ କରାଯାଇଥିଲା। ପ୍ରାୟ ୨୦ଟି ରାଜ୍ୟର ଭେଷଜ ନିୟନ୍ତ୍ରକଙ୍କ ସହ କେନ୍ଦ୍ରୀୟ ଭେଷଜ ନିୟନ୍ତ୍ରକ ମିଳିତ ଭାବେ ଏହି ଯାଞ୍ଚ କରିଥିଲେ। ସେଥିମଧ୍ୟରୁ ୧୮ କମ୍ପାନୀ ଦ୍ବାରା ପ୍ରସ୍ତୁତ ଔଷଧ ନିମ୍ନ ମାନର ଥିବା ଜଣାପଡ଼ିଥିଲା। ଏହି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କ ଅନୁମତି ପତ୍ର ରଦ୍ଦ ହେବେ ବୋଲି କୁହାଯାଇଛି।

Leave A Reply

Your email address will not be published.