ଓଡ଼ିଆ ନ୍ୟୁଜ୍: ପୁଣେରେ ଚାଲିଥିବା ଭାରତ-ଇଂଲଣ୍ଡ ୪ର୍ଥ ଟି-୨୦ରେ ଇଂଲଣ୍ଡକୁ ୧୫ ରନରେ ପରାସ୍ତ କରି ସିରିଜ କବ୍ଜା କଲା ଟିମ ଇଣ୍ଡିଆ। ଭାରତ ପକ୍ଷରୁ ରଖାଯାଇଥିବା ୧୮୨ ରନ ଟାର୍ଗେଟ୍ ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ହ୍ୟାରୀ ବ୍ରୁକ ୫୧ ଓ ବେନ ଡକେଟ୍ ୩୯ ରନ କରିଥିଲେ। ସେହିପରି ଫିଲିପ ସଲ୍ଟ ୨୩ ରନ କରିଥିଲେ । ଭାରତ ପକ୍ଷରୁ ରବି ବିଷ୍ଣୋଇ ଓ ହର୍ଷିକ ରାଣା ୩ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି ୨ଟି ଓ୍ବିକେଟ ନେଇଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୧୩ ରନରେ ଦଳ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା। ତେବେ ପରବର୍ତ୍ତି ବ୍ୟାଟରମାନେ ଭଲ ପ୍ରଦର୍ଶନ କରି ସ୍କୋରକୁ ଏକ ସମ୍ମାନଜନକ ସ୍ଥିତିକୁ ନେଇଯାଇଥିଲେ । ବିଶେଷକରି ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୦ ବଲରେ ୫୩ ରନ କରିଥିଲେ।
ସେହିପରି ଶିବମ ଦୁବେ ମଧ୍ୟ ୩୪ ବଲରେ ୫୩ ରନ କରିଥିଲେ। ରିଙ୍କୁ ସିଂ ୩୦ ରନ ଓ ଅଭିଷେକ ଶର୍ମା ୨୯ ରନ କରିଥିଲେ। ଏହି ମ୍ୟାଚରେ ପାକିସ୍ତାନୀ ବଂଶୋଦ୍ଭବ ଦ୍ରୁତ ବୋଲର ସାକିବ ମେହମ୍ମୁଦ ପ୍ରଥମ ଓଭରରେ ୩ଟି ଓ୍ବିକେଟ ନେଇ ଆତଙ୍କ ଖେଳାଇଦେଇଥିଲେ। ସଞ୍ଜୁ ସାମସନ, ତିଲକ ବର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ସେହି ଓଭରରେ ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ। ସେ ନିଜ ପ୍ରଥମ ଓଭରରେ ୩ଟି ଯାକ ୱିକେଟ୍ ନେଇଥିଲେ। ସଞ୍ଜୁ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ତିଲକ ଓ ସୂର୍ଯ୍ୟ ଖାତା ଖୋଲି ପାରିନଥିଲେ। ସୂର୍ଯ୍ୟଙ୍କୁ ବ୍ରାଇଡନ୍ କାର୍ସେ ଧରିଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୮୧ ରନ ସଂଗ୍ରହ କରିଛି।