ଜେଲର ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଭେଟିଲେ ବିଧାୟକ ଓ ନେତୃବୃନ୍ଦ, ବିଜେଡି ସରକାରର ମନୋମୁଖୀ ଓ ବ୍ୟଭୀଚାରୀ ଶାସନ ଚଳିବ ନାହିଁ: ବିଜେପି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୀର୍ଘ ୨୩ ବର୍ଷର ନିରୁଙ୍କଶ ଶାସନ ପରେ ମଧ୍ୟ ଓଡିଶାର ଆଇନଶୃଙ୍ଖଳା ପରିସ୍ତିତି ବିପର୍ଯ୍ୟୟ ହେବା ବିଜେଡି ସରକାରର ସବୁଠୁ ବଡ ବିଫଳତା । ଅନ୍ୟାୟ, ଭ୍ରଷ୍ଟାଚାର, ଦୁର୍ନୀତିରେ ଉବୁଟୁବୁ ବିଜେଡି ସରକାର କାରଣରୁ ଆଜି ରାଜ୍ୟବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ରାଜ୍ୟବାସୀଙ୍କ ସ୍ୱାର୍ଥରେ ଏହାର ପ୍ରତିବାଦ କରୁଥିବା ବିରୋଧୀଙ୍କ ସ୍ୱରକୁ ବିଜେଡି ସରକାରର ଦମନ କରିବାର ପ୍ରୟାସ ଅତ୍ୟନ୍ତ ଅଗଣତାନ୍ତ୍ରୀକ ଓ ଲଜ୍ଜାଜନକ । ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବିରୋଧ କରି ଶାନ୍ତିଶୃଙ୍ଖଳା ସହିତ ଆନେ୍ଦାଳନ କରୁଥିବା ୨୨ ଜଣ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ମିଛ ଦଫା ଲଗାଇ ଜେଲରେ ଭର୍ତି କରିଦେଲେ ରାଜ୍ୟ ସରକାର । ଆଜିକୁ ୧୮ ଦିନ ବିତିଗଲାଣି ।
ରାଜ୍ୟରେ ବିଜେଡି ସରକାର ଗଣତନ୍ତ୍ରର ସମସ୍ତ ନୀତି ଓ ନୈତିକତାକୁ ଭୁଲି ଯାଇ ଶାସନ ଓ କ୍ଷମତାର ଅପବ୍ୟବହାର କରି କିପରି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଜାମିନରେ ଆସି ନପାରିବେ, ସେଥି ପାଇଁ ସମସ୍ତ ପ୍ରକାରର ଷଡଯନ୍ତ୍ର ରଚିଛନ୍ତି । ଯାହା ଫଳରେ ଦିନକୁ ଦିନ ପୋଲିସ ମିଛରେ ନୂଆ ଦଫା ଲଗାଇ ଆମ ଦଳର ଯୁବ କାର୍ଯ୍ୟକର୍ତାମାନଙ୍କ ଉପରେ ଦାଉ ସାଜୁଛି । ବିଜେଡି ସରକାରର ମନୋମୁଖୀ ଓ ବ୍ୟଭୀଚାରୀ ଶାସନ ଚଳିବ ନାହିଁ । ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ମନୋବଳ ସୁଦୃଢ ରହିଛି ଏବଂ ଆଗାମୀ ଦିନରେ ଏ ଲଢେଇକୁ ଆହୁରି ଶାଣିତ କରାଯିବ ।
ଆଜି ବିଜେପି ବିଧାୟକଦଳର ଏକ ପ୍ରତିନିଧି ଦଳ ଗିରଫ ହୋଇ ଝାରପଡା ଜେଲରେ ଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଭେଟିଛନ୍ତି । ଏହି ପ୍ରତିନିଧି ଦଳରେ ବିଧାୟକ ନାଉରୀ ନାଏକ, ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ଭବାନୀ ନାଏକ, ନିତ୍ୟାନନ୍ଦ ଗଣ୍ଡ, ନବଚରଣ ମାଝୀ, ବୁଧନ ମୁର୍ମୁ, ସନାତନ ବିଜୁଳି, ଗଣେଷରାମ ଖୁଂଟିଆ, ସୁରଜ ସୂର୍ଯ୍ୟବଂଶୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପବିତ୍ର ଦାଶ, ରବି ବେହେରା, ରଶ୍ମିରଂଜନ କାନୁନଗୋ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ର, ସମ୍ବଲପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।