ମେ ୨୮ରେ ନୂଆ ସଂସଦ ଭବନର ଉଦଘାଟନ କରିବେ ମୋଦି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମେ ୨୮ରେ ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନବନିର୍ମିତ ସଂସଦ ଭବନର ଉଦଘାଟନ ପାଇଁ ଅନୁରୋଧ କରିଛନ୍ତି। ମେ’ ୨୮ତାରିଖରେ ଏହି କୋଠା ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅନୁମୋଦନ କରିଛନ୍ତି। ନୂଆ ସଂସଦ ଭବନ ନିର୍ମାଣ ପାଇଁ ୨୦୧୯ ଅଗଷ୍ଟ ୫ ତାରିଖରେ ଉଭୟ ଲୋକସଭା ଓ ରାଜ୍ୟସଭା ସରକାରଙ୍କୁ ଅନୁରୋଧ କରିଥିଲେ । ଏହାପରେ ଡିସେମ୍ବର ୧୦, ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ନୂତନ କୋଠାର ଶିଳାନ୍ୟାସ କରିଥିଲେ । ନୂତନ ସଂସଦ ଭବନ ରେକର୍ଡ ସମୟ ମଧ୍ୟରେ ନିର୍ମାଣ କରାଯାଇଛି ।

ନବନିର୍ମିତ ସଂସଦ ଭବନ ଭାରତର ଗୌରବମୟ ଗଣତାନ୍ତ୍ରିକ ପରମ୍ପରା ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ଆହୁରି ସମୃଦ୍ଧ କରିବା ପାଇଁ କାର୍ଯ୍ୟ କରିବ, ଅତ୍ୟାଧୁନିକ ସୁବିଧାରେ ସଜ୍ଜିତ ଏହି କୋଠା ସଦସ୍ୟମାନଙ୍କୁ ସେମାନଙ୍କ କାର୍ଯ୍ୟକୁ ଉତ୍ତମ ଢଙ୍ଗରେ ସମ୍ପାଦନ କରିବାରେ ମଧ୍ୟ ସାହାଯ୍ୟ କରିବ । ସଂସଦର ବର୍ତ୍ତମାନର ଭବନରେ ଲୋକସଭାରେ ୫୫୦ ଓ ରାଜ୍ୟସଭାରେ ୨୫୦ ଜଣ ସଦସ୍ୟ ରହିବାର କ୍ଷମତା ରହିଛି। ନବନିର୍ମିତ ସଂସଦ ଭବନରେ ଲୋକସଭାରେ ୮୮୮ ଓ ରାଜ୍ୟସଭାରେ ୩୮୪ ସଦସ୍ୟ ରହିବେ ।

Leave A Reply

Your email address will not be published.