ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆନ୍ଧ୍ରରେ ପୁଣି ଆରମ୍ଭ ହେଲା ଚନ୍ଦ୍ରବାବୁ ନାଇଡୁଙ୍କ ଶାସନ । ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ତାଙ୍କୁ ରାଜ୍ୟପାଳ ଏସ୍ ଅବ୍ଦୁଲ ନଜିର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଏହି ଶପଥ ଗ୍ରହଣ ଉତ୍ସବ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇଛନ୍ତି। ଶପଥ ନେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ଅନୁସାରେ, ଟିଡିପିର ୨୧ ବିଧାୟକ, ଜନସେନା ପାର୍ଟିରୁ ୩ ଓ ବିଜେପିରୁ ଜଣେ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପ୍ରମୁଖ ସାମିଲ ହୋଇଥିଲେ । ‘ଏନଡିଏ’ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ନାଇଡୁ ସରକାରରେ ଟିଡିପିର ୨୧ ଜଣ ମନ୍ତ୍ରୀ, ଜନସେନାର ଦୁଇଜଣ ଏବଂ ଭାଜପାର ଜଣେ ମନ୍ତ୍ରୀ ହେଉଛନ୍ତି। ଏହାପୂର୍ବରୁ ମଙ୍ଗଳବାର ଟିଡିପି ଏବଂ ଏନଡିଏ ଚନ୍ଦ୍ରବାବୁ ନାଇଡୁଙ୍କୁ ସେମାନଙ୍କର ବିଧାନସଭା ଦଳର ନେତା ଭାବରେ ମନୋନୀତ କରିଥିଲେ। ୧୯୯୫ରେ ସେ ପ୍ରଥମଥର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ । ଏହା ପରେ କ୍ରମାଗତ ୨୦୦୪ ପର୍ଯ୍ୟନ୍ତ ୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲେ । ଆନ୍ଧ୍ର ବିଭାଜିତ ହେବା ପରେ ସେ ୨୦୧୪ରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ।