ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ‘ଶୀତଳଷଷ୍ଠୀ ଯାତ୍ରା’ର ନନ୍ଦପଡାର ନୃସିଂହ ନିଉତା ବା ‘ଦେବ ନିମନ୍ତ୍ରଣ ନୀତି’ ପରମ୍ପରା ଅନୁଷ୍ଠିତ ହୋଇଛି | ଗତକାଲି ସଂଧ୍ୟା ପ୍ରାୟ ସାଢେ 9ଟା ସମୟରେ ଭକ୍ତମାନେ ପ୍ରଭୁ ନୃସିଂହଙ୍କୁ ବେଶ କରିଥିଲେ | ଶିବ-ପାର୍ବତୀଙ୍କ ବିବାହ ପୂର୍ବରୁ ଗତକାଲି ରାତିରେ ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ଦେବ ନିମନ୍ତ୍ରଣ କାର୍ଯ୍ୟ ଓ ଗୁଆଗୁଣ୍ଡା ସମ୍ପନ୍ନ ହୋଇଛି।
ପରମ୍ପରା ଅନୁସାରେ ନୃସିଂହ ମହାପ୍ରଭୁ ସହରର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରକୁ ଯାଇ ଗୁଆ-ହଳଦି-ମିଠେଇ ଓ ଖଜା ଦେଇ ଦିଅଁ ମାନଙ୍କୁ ଭୋଳାବାବାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ଥାଳରେ 4ଟି ମିଠେଇ ଲଡୁ, 4ଟି ଗୁଆ, ହଳଦୀ ଗୁଣ୍ଡ ଓ ହଳଦୀ ରଙ୍ଗର ଗାମୁଛା ଦେଇ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି | ସୂଚନା ଯୋଗ୍ୟ ଯେ ସମ୍ବଲପୁରର ଅନ୍ୟ ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟିର ଦେବ ନିମନ୍ତ୍ରଣ ଭଗବାନ ହନୁମାନ କରୁଥିବା ବେଳେ କେବଳ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରାର ଦେବ ନିମନ୍ତ୍ରଣ ଭଗବାନ ନୃସିଂହଙ୍କ ଦ୍ୱାରା ସମ୍ପାଦନ ହେବାର ପରମ୍ପରା ରହିଛି |
ତେଣୁ ଏହି ପରମ୍ପରାକୁ ‘ନୃସିଂହ ନିଉତା’ କୁହାଯାଏ | ଆଜି ଅନ୍ୟ ସମସ୍ତ ପଡ଼ାରେ, ଶିବ ମନ୍ଦିରମାନଙ୍କରୁ ବାହାରିବ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ଓ ପତରପେଣ୍ଡି। ଆସନ୍ତା ୧୦ ତାରିଖରେ ଶିବ ବିବାହ ଲଗ୍ନ ରହିଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ଶିବ-ପାର୍ବତୀ ବିବାହ ପୂର୍ବରୁ ଦେବ ନିର୍ବନ୍ଧ କାର୍ଯ୍ୟ ଅର୍ଥାତ ପତରପେଣ୍ଡି ସରିଥିଲା।