ନନ୍ଦିଘୋଷ ରଥ ଚଢ଼ି ମାଉସୀ ଘର ଯିବେ କଳା ସାଆନ୍ତ, ଜାଣନ୍ତୁ ଏହି ରଥର ସ୍ୱତନ୍ତ୍ରତା..

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ବିଶ୍ୱ ନିୟନ୍ତା ଜଗତରନ୍ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ । ଏହି ରଥରେ ବସି ୯ ଦିନ ପାଇଁ ମାଉସୀ ଘର ବୁଲି ଯାଆନ୍ତି କଳା ଠାକୁର । ବଡ଼ ଦିଅଁ ବଡ଼ଠାକୁରଙ୍କ ରଥର ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ରଥ ହେଉଛି ଦେବ ଦଳନ ପରି ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ତେବେ ୩ ଠାକୁରଙ୍କ ୩ ରଥର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ। ରଥ ନନ୍ଦିଘୋଷର ଅନ୍ୟ ନାମ ହେଉଛି ଗରୁଡ଼ଧ୍ୱଜ ଓ କପିଳଧ୍ୱଜ। କାଳିଆ ରଥର ନିର୍ମାଣ ଶୈଳୀ ସବୁ ରଥ ଠାରୁ ଭିନ୍ନ। ନନ୍ଦିଘୋଷର ନିର୍ମାଣ ପାଇଁ ବ୍ୟବହୃତ ହୁଏ ୭୪୨ ଖଣ୍ଡ କାଠ। ଏହି ରଥରେ ରହିଛି ମୋଟ୍ ୧୬ଟି ଚକ। ଏହି ଚକର ନାଁ ହେଉଛି ବିଷ୍ଣୁସିଦ୍ଧ, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆସକ୍ତ, ରତି, କେଳି, ସତ୍ୟ, ସୁଶ୍ୱସ୍ତି, ଜାଗୃତି, ବିଭୂତି, ତୁରୀୟ, ଆମ ଓ ନିର୍ବାଣ।

ନନ୍ଦିଘୋଷ ରଥର ଚକର ବ୍ୟାସ ୬ ଫୁଟ୍। ଏହି ରଥର ରଙ୍ଗ ହେଉଛି ହଳଦିଆ ଓ ଲାଲ। ନନ୍ଦିଘୋଷର ରକ୍ଷକ ହେଉଛନ୍ତି ଗରୁଡ଼ ଓ ନୃସିଂହ। ସେହିପରି ଜୟ ଓ ବିଜୟ ହେଉଛନ୍ତି ରଥର ଦ୍ୱାରପାଳ। ଦାରୁକ ହେଉଛନ୍ତି ମହାପ୍ରଭୁଙ୍କ ରଥର ସାରଥୀ। ନନ୍ଦିଘୋଷ ରଥର ଶିଖରରେ ଲାଗିଥିବା ପତାକାର ନାଁ ହେଉଛି ତ୍ରୈଲୋକ୍ୟମୋହିନୀ। ପତାକାରେ ରହିଛି ଗରୁଡ଼ ଚିହ୍ନ। ସେହିପରି ଏହି ରଥରେ ଋଷି ସମୂହଙ୍କ ମଧ୍ୟରେ ଅଛନ୍ତି ନାରଦ, ଦେବାଳ, ବ୍ୟାସ, ଶୁକ, ପରାସର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର। ନନ୍ଦିଘୋଷ ରଥରେ ବିମଳା ଓ ବିରଜା ଶକ୍ତି ଭାବେ ରହିଥାନ୍ତି। ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ୪ଟି ଲେଖାଏଁ ଧଳା ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼ ଓ ୯ ଜଣ ପାର୍ଶ୍ୱ ଦେବତା ରହିଥାନ୍ତି। ଏହି ରଥରେ ପାର୍ଶ୍ୱ ଦେବା ଦେବୀ ଭାବେ ରହିଛନ୍ତି ପଣ୍ଡୁ ନୃସିଂହ, ନାରାୟଣ, ମଧୁସୂଦନ, ହରିହର, ଚିନ୍ତାମଣି କୃଷ୍ଣ, ଗୋବର୍ଦ୍ଧନଧାରୀ, ପଞ୍ଚମୁଖୀ ହନୁମାନ, ରାମ ପ୍ରମୁଖ ଦେବତା।

Leave A Reply

Your email address will not be published.