ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥ ଉପରୁ ଅଣସେବକମାନଙ୍କୁ ବାହାର କରିଥିବାର ଦେଖିବାକୁ ମିଳିଛି। ସେବାୟତ ବେଶରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନରେ ଜଣେ ଅଣସେବାୟତ ଚଢି ଥିବାବେଳେ ତାଙ୍କୁ ଚିହ୍ନଟ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ତୁରନ୍ତ ତାଙ୍କୁ ରଥରୁ ଓହ୍ଲାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଅଣସେବାୟତଙ୍କୁ ରଥ ଉପରୁ ତଳକୁ ଟାଣି ଟାଣି ନେଇ ଆସିଥିଲେ ମୁଖ୍ୟ ପ୍ରଶାସକ ।
ଅଣସେବାୟତ ପ୍ରବେଶ ଉପରେ କଟକଣା ଲାଗିଥିବା ବେଳେ ଯେଉଁମାନେ ନିୟମ ଭାଙ୍ଗିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା । ତେବେ ସଂପୃକ୍ତ ଅଣସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ସୂଚନା ଅନୁସାରେ, ରଥ ଉପରୁ ହାତ ଧରି ଟାଣିଟାଣି ବାହାର କରି ଦେଇଛନ୍ତି ନିଜେ ମୁଖ୍ୟ ପ୍ରଶାସକ। କୌଣସି ଅଣସେବକ ରଥ ଉପରକୁ ଚଢିବା ନିଷେଧ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନିର୍ଦ୍ଦିଷ୍ଟ ଭାବେ ୨ ଜଣ ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି।
ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କହିବା ଅନୁଯାୟୀ, ନୀତି ଶୃଙ୍ଖଳାକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ଯଦି କିଛି ବିଶୃଙ୍ଖଳା ଦେଖାଯାଏ ସେମାନଙ୍କ ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଲ୍ଲେଖଯୋଗ୍ୟ, ସରିଲା ଜନ୍ମବେଦୀରେ ଲୀଳାଖେଳା। ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ। ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ।