ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ଇତିହାସ ରଚିବା ବଦଳରେ ଇତିହାସ ପାଲଟିଲେ ନବୀନ । ଓଡ଼ିଶାରେ ନବୀନ ଯୁଗର ଅନ୍ତ ଘଟିଲା। ୫ ଥରର ମୁଖ୍ୟମନ୍ତ୍ରୀ ଏବେ ପାଲଟିଗଲେ ଇତିହାସ । ଆଜି ରାଜଭବନରେ ପହଞ୍ଚି ଇସ୍ତଫା ଦେବା ପରେ ନବୀନ ପାଲଟି ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ।
ଏଥିସହ ତାଙ୍କର ବର୍ତ୍ତମାନର ପରିଚୟ କେବଳ ବିଧାୟକ । ୨୪ ବର୍ଷ ପରେ ହାତରୁ ଖସିଲା ଶାସନ ଡୋରି । ଗୋଟିଏ ଝଟକାରେ ମିଳେଇଗଲା ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ। ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ନବୀନ ପଟ୍ଟନାୟକ ଜୀବନରେ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିବେ । ତାଙ୍କ ନିକଟରୁ ହଟିଯିବ କାରକେଡ, କଡ଼ା ସୁରକ୍ଷା ପହରା ବି ଆଉ ରହିବନି। ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବିଜେଡିକୁ ବଡ଼ ଶକ୍ତ ଧକ୍କା ଦେଇଛି । କେବଳ ନବୀନ ପଟ୍ଟନାୟକଙ୍କ ହାତରୁ ଶାସନ ଡୋର୍ ଯାଇନି, ବରଂ ୨୪ ବର୍ଷର ଅପରାଜେୟ ନବୀନ ପ୍ରଥମ ଥର ପରାଜୟର ସମ୍ମୁଖୀନ ହୋଇଛନ୍ତି । ନିଜର ପାରମ୍ପରିକ ହିଞ୍ଜିଳି ଆସନରୁ ସେ ବିଜୟ ହୋଇଥିଲେ ହେଁ କଣ୍ଟାବାଞ୍ଜିରେ ପରାସ୍ତ ହୋଇଛନ୍ତି । ଏଠି ବିଜେପି ଲକ୍ଷ୍ମଣ ବାଗ ତାଙ୍କୁ ୧୬ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ।
ଯାହାକି ନବୀନଙ୍କ ପାଇଁ କୌଣସି ଶକ୍ତ ଝଟକା ଠାରୁ କମ୍ ନୁହେଁ । ମୁଖ୍ୟମନ୍ତ୍ରୀ ଭାବେ ସର୍ବାଧିକ ସମୟ ଶାସନ କରି ରେକର୍ଡ କରିବାର ଆଶା ରଖିଥିବା ନବୀନଙ୍କୁ ଏଥର କିନ୍ତୁ ନିରାଶ ହେବାକୁ ପଡ଼ିଛି। ଏହି ରେକର୍ଡକୁ ନେଇ ତାଙ୍କ ଦଳ ପକ୍ଷରୁ ବେଶ୍ ପ୍ରଚାର କରାଯାଇଥିଲା। ଗତକାଲି ସୁଦ୍ଧା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ୯୧ ଦିନ ରହିସାରିଛନ୍ତି। ଅଗଷ୍ଟ ମାସରେ ସେ ଚାମଲିଂଙ୍କ ରେକର୍ଡ ଭଙ୍ଗ କରିଥାନ୍ତେ। କିନ୍ତୁ ତାଙ୍କ ଦଳର ଏହି ସ୍ୱପ୍ନ ପୂରଣ ହୋଇପାରିନାହିଁ।