ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୦୨୪ ନିର୍ବାଚନରେ ଓଡିଶାରେ ବିଜେପିକୁ ବହୁମତ ମିଳିଛି । ଏଥର ବିଜେପି ରାଜ୍ୟରେ ସରକାର ଗଢିବ। ଅନ୍ୟପଟେ ଚଳିତ ଥର ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିନାହିଁ। ଏହାରି ଭିତରେ ରାଜନୀତିରୁ ସନ୍ୟାସ ନେଲେ ନିରଞ୍ଜନ ପଟ୍ଟନାୟକ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରିଛନ୍ତି ବଡ଼ ଘୋଷଣା। କଂଗ୍ରେସ ଟିକେଟରୁ ଭଣ୍ଡାରିପୋଖରୀରୁ ଲଢି ପରାସ୍ତ ହେବର ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି।
ସେ କହିଛନ୍ତି ‘ଏହା ମୋର ଶେଷ ନିର୍ବାଚନ, ଭବିଷ୍ୟତରେ ନିର୍ବାଚନ ଲଢିବିନି’। କ୍ଷମତା ବା ସ୍ବାର୍ଥ ପାଇଁ କେବେ ଦଳ ପରିବର୍ତ୍ତନ କରିନି। ଆଉ ଏବେ ଭୋଟ ରାଜନୀତିରେ ଭାଗ ନ ନେବାକୁ ସ୍ଥିର କରିଛି। ତେଣୁ ବର୍ତ୍ତମାନ ରାଜନୀତିରୁ ସନ୍ୟାସ ନେଉଛି ।ଏଥର ନିର୍ବାଚନରେ ପ୍ରତିଦ୍ଵନ୍ଦିତା ନ’କରିବାକୁ ଇଛା କରିଥିଲେ ମଧ୍ୟ ଭଣ୍ଡାରିପୋଖରୀବାସୀ ଅନୁରୋଧ କରିବାରୁ ଏ ନିର୍ବାଚନ ଲଢିଥୁଲି । ଭଣ୍ଡାରିପୋଖରୀ ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ ଏହାର ଅନେକ କ୍ଷେତ୍ରରେ ବିକାଶ ହୋଇ ପାରିନାହିଁ । ବିକାଶ ଦିଗରେ ଚିନ୍ତା କରି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲି।
ନିର୍ବାଚନରେ ଜନତାଙ୍କ ରାୟଙ୍କୁ ସମ୍ମାନ ଜଣାଉଛି ଓ ଭବିଷ୍ୟତରେ ଆଉ ଭୋଟ୍ ରାଜନୀତିରେ ଭାଗ ନେବି ନାହିଁ ବୋଲି ସ୍ଥିର କରିଛି । କିନ୍ତୁ ଓଡିଶାବାସୀଙ୍କ ବିକାଶ ପାଇଁ ସବୁ ପ୍ରକାର ଉଦ୍ୟମ କରିବି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ସେହିପରି ଏଥର ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୀବ ବାବୁଙ୍କୁ ମୁଁ ଅଭିନନ୍ଦନ ଜଣାଇବା ସହ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ହିତ ପାଇଁ ଉଦ୍ୟମ କରିବେ ବୋଲି ଆଶା କରୁଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ।
Comments are closed.