ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଅଭୁତପୂର୍ବ ସଫଳତା ପାଇଛି। ୨୧ ଲୋକସଭା ଆସନରୁ ବିଜେପି ୬ଟିରେ ଆଗୁଆ ଥିବା ବେଳେ ୧୩ଟିରେ ବିଜୟୀ ହୋଇଛି। ସେପଟେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିପୁଳ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।
୫ ଲକ୍ଷ ୭୬ ହଜାର ୭୯୯ ଭୋଟରେ ବିଜୟ ଲାଭ କରିଛନ୍ତି ବୈଜୟନ୍ତ । ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ୬୨ ହଜାର ୬୦ ଖଣ୍ଡ ଭୋଟରେ ପରାସ୍ତ କରି ବାଜି ମାରିଛନ୍ତି ବୈଜୟନ୍ତ । ୨୦୧୪ରେ କେନ୍ଦ୍ରାପଡା ଆସନରେ ବିଜେଡି ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ବୈଜୟନ୍ତ । କିନ୍ତୁ ପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡି ବିଜେପିରେ ମିଶିଥିଲେ । ତେବେ ଗତ ନିର୍ବାଚନରେ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ ବୈଜୟନ୍ତ ।
ଏଥର ପୁଣିଥରେ ନିଜ କ୍ଷମତାକୁ ଫେରିଛନ୍ତି ସେ । ସେପଟେ ସମ୍ବଲପୁର ଲୋକସଭା ଆସନରେ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୧ ଲକ୍ଷ ୧୨ ହଜାର ୯୮୪ ଭୋଟ୍ ବ୍ୟବଧାନରେ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇ ବିଜୟ ହୋଇଛନ୍ତି । ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବରେ ସାମିଲ ହୋଇଛନ୍ତି । ପରସ୍ପରଙ୍କୁ କେକ୍ ଖୁଆଇ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।