ନିଖୋଜ ଡାକ୍ତର ଅମ୍ଲାନ ଭୋଇ କର୍ଣ୍ଣାଟକରୁ ଠାବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଲକାନଗିରି ଜିଲ୍ଲା କାଲିମେଳାରୁ ଅପହୃତ ହୋଇଥିବା ଡାକ୍ତର ଅମ୍ଳାନ ଭୋଇଙ୍କ ପତ୍ତା ମିଳିଲା। ତାଙ୍କୁ କର୍ଣ୍ଣାଟକରୁ ଠାବ କରିଛି ପୁଲିସ। ଏନେଇ ମାଲକାନଗିରି ଏସପି ସୂଚନା ଦେଇଛନ୍ତି। ଏବେ ଡାକ୍ତର ଅମ୍ଲାନ ଭୋଇଙ୍କୁ କର୍ଣ୍ଣାଟକରୁ ମାଲକାନଗିରି ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଲାନଙ୍କୁ କେହି ଅପହରଣ କରି ନେଇଥିବା ଜଣାପଡିଥିଲା।

ପୁଲିସ ତାଙ୍କୁ ମାଲକାନଗିରି ଆଣିବା ପରେ ଏସମ୍ପର୍କରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ। ତେବେ ଏକ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତର ଅମ୍ଳାନଙ୍କୁ ଅପହରଣ କରି ନିଆଯାଇଥିଲା। ତେବେ ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରୁ ଡାକ୍ତର ଭୋଇ ନିଖୋଜ ଥିଲେ।  କ୍ବାର୍ଟର୍ସ ସମ୍ମୁଖରୁ ମିଳିଥିବା ଚିଠିରୁ ମାଓବାଦୀ ଅପହରଣ କରିଥିବା ଅନୁମାନ କରାଯାଉଥିଲା। କିନ୍ତୁ ଉକ୍ତ ଚିଠିକୁ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିଛି। କାରଣ ଶୁଦ୍ଧ ଓଡ଼ିଆ ଭାଷା ସହ ଇଂରାଜୀ ଭାଷାରେ ଏହି ଚିଠି ଲେଖାଯାଇଛି। ପୂର୍ବରୁ ଏତେ ଶୁଦ୍ଧ ଓଡ଼ିଶାରେ ମାଓବାଦୀ ଚିଠି ଲେଖିବାର ନଜିର ନାହିଁ। ସେହିପରି ମାଓବାଦୀ କାହାକୁ ଅପହରଣ କଲେ ୨୪ଘଣ୍ଟା ମଧ୍ୟରେ ତାହାର ସୂଚନା ଗଣମାଧ୍ୟମକୁ ଦେଇଥାନ୍ତି। କିନ୍ତୁ ୩୬ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ମାଓବାଦୀ କୌଣସି ସୂଚନା ଦେଇନାହାନ୍ତି।

ସେହିପରି ଶୁକ୍ରବାର ଦିନ ଜଣେ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଖାନାରେ ପାଟିତୁଣ୍ଡ ହୋଇଥିଲା। ତେଣୁ ସେହି ଘଟଣା ସହ ଡାକ୍ତରଙ୍କ ଅପହରଣକୁ ବି ଯୋଡ଼ିବାରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଯେଉଁମାନଙ୍କ ସହ ଡାକ୍ତରଙ୍କ ପାଟିତୁଣ୍ଡ ହୋଇଥିଲା ସେମାନଙ୍କୁ ଆଜି ଥାନାକୁ ଡକାଯାଇଥିଲା। ପଚରାଉଚରା ସମୟରେ ଶୁକ୍ରବାର ଡାକ୍ତରଖାନାରେ ସେମିତି କିଛି ହୋଇନଥିବା ପୁଲିସକୁ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଶନିବାର ବିଳମ୍ବିତ ରାତିରେ ଡାକ୍ତର ଏଟିଏମ୍‌ରୁ ୪୮ହଜାର ଟଙ୍କା ଉଠାଇଥିଲେ। ଦୁଇଟି ମୋବାଇଲ ଫୋନ୍‌ ବ୍ୟବହାର କରୁଥିଲେ ବୋଲି ମଧ୍ୟ ଜଣାପଡ଼ିଥିଲା। ଗୋଟିଏ ଫୋନ୍‌ କ୍ବାର୍ଟର୍ସରେ ଛାଡ଼ି ଯାଇଥିଲା ବେଳେ ଆଇ ଫୋନ୍‌ ସାଥୀରେ ନେଇଯାଇଥିବା ପୁଲିସ କହିଥିଲେ।

Leave A Reply

Your email address will not be published.