ନୀଳଗିରିର ସାମ୍ବାଦିକଙ୍କୁ ପୋଲିସର ଅତ୍ୟାଚାର ଘଟଣା: ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ କରାଗଲା ବଦଳି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ନୀଳଗିରିର ସାମ୍ବାଦିକ ଲୋକନାଥ ଦଳେଇଙ୍କ ଉପରେ ପୋଲିସର  ଅତ୍ୟାଚାରକୁ ନେଇ ବିରୋଧ ପରେ ଚେତିଲା ପୋଲିସ ପ୍ରଶାସନ।  ତରବରିଆ ଭାବେ କିଛି କାର୍ଯ୍ୟାନୁଷ୍ଠାନ ନେଇଛି। ଆଜି ନୀଳଗିରି ଆଇଆଇସି ଦ୍ରୌପଦୀ ଦାସ ଓ ତଦନ୍ତକାରୀ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ   ବାଲେଶ୍ବର ଜିଲ୍ଲା ପୋଲିସ  ମୁଖ୍ୟାଳୟକୁ ବଦଳି କରାଯାଇଛି ।  ଏ ନେଇ  ପୂର୍ବାଞ୍ଚଳ ରେଞ୍ଜ୍ ଇନଚାର୍ଜ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ନୀଳଗିରି ପୁଲିସ ପକ୍ଷରୁ ସାମ୍ବାଦିକ ଦଳେଇଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣା ଜଣାପଡ଼ିବା ପରେ ସମଗ୍ର ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଘଟଣାକୁ ଏଡିଟର୍ସ ଗିଲଡ ପକ୍ଷରୁ ନିନ୍ଦା କରି ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପତ୍ର ଲେଖାଯାଇଛି । ଏହି ଘଟଣାରେ ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ କରି ପୂର୍ବାଞ୍ଚଳ ଆଇଜିଙ୍କୁ ରିପୋର୍ଟ ମାଗିଛନ୍ତି ।

ଅନ୍ୟପଟେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ପୁଲିସ୍ ଦ୍ୱାରା ଅମାନୁଷିକ ଭାବରେ ଅତ୍ୟାଚାରିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଆଜି କିଛି ସମୟ ପୂର୍ବରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ଉଚ୍ଚ ରକ୍ତଚାପ ଓ ଡାଏବେଟିସରେ ଦେଖାଦେବା ଓ ଜ୍ୱର ଲାଗି ରହିବା କାରଣରୁ ତାଙ୍କୁ ଆଇସିୟୁକୁ ନିଆଯାଇଛି । ଏଥିସହ ତାଙ୍କର ଫୁସଫୁସ୍ ସଂକ୍ରମିତ ହୋଇଥିବା ଡାକ୍ତର କହିଛନ୍ତି । ତେବେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ତିନିଦିନ ଆଇସିୟୁରେ ରଖି ଚିକିତ୍ସା କରାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.