ମେ’ ୨୬ ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭା ଆସନ ପାଇଁ ଦାଖଲ ହେବ ନାମାଙ୍କନପତ୍ର, ପ୍ରକାଶ ପାଇଲା ବିଜ୍ଞପ୍ତି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):   ସୁବାସ ସିଂହଙ୍କ ଇସ୍ତଫା ଯୋଗୁଁ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ’ ୨୬ ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ଜୁନ୍ ୩ ରେ ନାମାଙ୍କନପତ୍ର ଯାଞ୍ଚ ହେବ ଏବଂ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ହେଉଛି ଜୁନ୍ ୬ । ଆବଶ୍ୟକ ହେଲେ ଜୁନ୍ ୧୩ ତାରିଖରେ ଭୋଟ ହେବ । ସକାଳ ୯ରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ ଏବଂ ୫ ଟାରେ ଭୋଟ ଗଣତି ହେବ ।
ଏହି ଆସନଟି ବିଜେଡିର ଥିବାରୁ ସଂଖ୍ୟା ଦୃଷ୍ଟିରୁ ସେହି ବିଜେଡି ହାତରେ ହିଁ ରହିବ । ସୁତରାଂ ବିରୋଧୀ ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଦେବାର ଅବକାଶ ନାହିଁ । ବିଜେଡି ଯାହାକୁ ପ୍ରାର୍ଥୀ କରିବ ସେ ହିଁ ନିର୍ବାଚିତ ହେବେ । ତେଣୁ ଭୋଟ ଗ୍ରହଣର ଆବଶ୍ୟକ ପଡ଼ିବନି ।
୨୦୨୦ ମାର୍ଚ୍ଚ ୨୪ ରେ ସୁବାସ ସିଂହ ବିଜେଡି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । କଟକ ମେୟର ଭାବେ ନିର୍ବାଚିତ ହେବା ପରେ ଗତ ଏପ୍ରିଲ୍ ୨୧ ତାରିଖରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ତାଙ୍କ ଜାଗାରେ ରାଜ୍ୟସଭାକୁ ନିର୍ବାଚିତ ବ୍ୟକ୍ତିଙ୍କ କାର୍ଯ୍ୟକାଳ ୨୦୨୬ ମାର୍ଚ୍ଚ ଯାଏ ରହିବ ।
ସୂଚନାଥାଉକି, ଓଡ଼ିଶାରୁ ତିନି ଜଣ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ଡକ୍ଟର ସସ୍ମିତ୍ ପାତ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧ ରେ ସରୁଥିବାରୁ ସେମାନଙ୍କ ଜାଗାରେ ତିନି ଜଣ ରାଜ୍ୟସଭା ଯିବେ । ଗତକାଲି ନିର୍ବାଚନ କମିସନ ଏହାର ତାରିଖ ଘୋଷଣା କରିବା ପରେ ରାଜନୈତିକ ମହଲରେ ଉଷ୍ମତା ପ୍ରକାଶ ପାଇଛି । ମେ’ ୨୪ ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ମେ’ ୩୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ଆବଶ୍ୟକ ହେଲେ ଜୁନ୍ ୧୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟା ଦୃଷ୍ଟିରୁ ବିଜେଡି ଅକ୍ତିଆରରେ ଏହି ୪ଟି ଯାକ ଆସନ ରହିବାକୁ ଥିବାରୁ କେବଳ ପ୍ରାର୍ଥୀ ଘୋଷଣାକୁ ସମସ୍ତଙ୍କ ଅପେକ୍ଷା ରହିବ ।

Leave A Reply

Your email address will not be published.