ଏବେ ଦହି ହାଣ୍ଡିକୁ ନେଇ ବିଜେପି-ଶିବସେନା ମୁହାଁମୁହିଁ

0

ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ଦହି ହାଣ୍ଡି କାର୍ଯ୍ୟକ୍ରମକୁ ନେଇ କଳହ ଆରମ୍ଭ ହୋଇ ଯାଇଛି । ବିଜେପି ବିଧାୟକ ରାମ କଦମଙ୍କୁ ମଙ୍ଗଳବାର ଦହି ହାଣ୍ଡି ପାଳନ ରୋକିବା ପାଇଁ ମୁମ୍ବାଇର ଖାର ଅଞ୍ଚଳରେ ସ୍ଥିତ ତାଙ୍କ ବାସଭବନରେ ମୁମ୍ବାଇ ପୋଲିସ ପହଞ୍ଚିଛି । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କୋଭିଡ୍-୧୯ର ବଢୁଥିବା ମାମଲା କାରଣରୁ ରାଜ୍ୟ ସରକାର ଜନ୍ମାଷ୍ଟମୀ ଓ ଦହି ହାଣ୍ଡି ସମାରୋହ ଉପରେ କଟକଣା ଲଗାଇଛନ୍ତି ।

ହେଲେ ବିଜେପି ବିଧାୟକ ଜନ୍ମାଷ୍ଟମୀ ଅବସରରେ ଦହି ହାଣ୍ଡି କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହା ଜାଣିପାରି ଡିସିପି ସଂଗ୍ରାମ ସିଂହ ନିଶାନଦାରଙ୍କ ନେତୃତ୍ୱରେ ପୋଲିସ ଦଳ ବିଧାୟକଙ୍କ ଘରେ ପହଞ୍ଚି ଯାଇଛନ୍ତି । ବିଜେପି ବିଧାୟକ ଦାବି କରିଛନ୍ତି ଯେ, ଠାକରେ ସରକାର ଆମକୁ ପରମ୍ପରା ଅନୁସାରେ ଦହି ହାଣ୍ଡି ପାଳନ କରିବାକୁ ଅନୁମତି ଦିଅନ୍ତୁ । ଆମେ କୋଭିଡ୍ ୧୯ର ନିୟମ ପାଳନ କରିବୁ । ଏହା ଏକ ହିନ୍ଦୁ ଉତ୍ସବ ଏବଂ ଆମେ ଏହାକୁ କୌଣସି ବି ପରିସ୍ଥିତିରେ ପାଳନ କରିବୁ । ପୋଲିସକୁ ମଧ୍ୟ ଆମେ ଏ ନେଇ ଅନୁରୋଧ କରୁଛୁ । ଯଦି ଆବଶ୍ୟକ ପଡେ ତେବେ ମୁଁ ଅନୁମତି ପାଇଁ ରାଜ୍ୟର ଗୃହ ମନ୍ତ୍ରୀ ଦିଲୀପ ବାଲସେ ପାଟିଲଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ବିଧାୟକ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି, ଆମେ ଟିକାର ଦୁଇ ଡୋଜ ନେଇ ସାରିଥିବା ପାଞ୍ଚ ଗୋବିନ୍ଦାଙ୍କ ସହ ମିଶି ଦହି ହାଣ୍ଡି କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତ । ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ସହିତ ମେଣ୍ଟ ପରେ ଶିବସେନା ହିନ୍ଦୁ ବିରୋଧୀ ପାର୍ଟିରେ ପରିଣତ ହୋଇଛି । ପୋଲିସର କହିବା କଥା ଗତକାଲି ମନ୍ଦିର ଖୋଲିବା ଦାବିରେ ବିରୋଦ ପ୍ରଦର୍ଶନ ସମୟରେ କରୋନା ନିୟମର ଉଲ୍ଲଂଘନ କରାଯାଇଛି । ଏହି କାରଣରୁ ୩୦ରୁ ଅଧିକ ବିଜେପି ନେତା ଓ କର୍ମୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.