ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖୁବଶୀଘ୍ର ଅର୍ଥ ଫେରି ପାଇବେ ଓଡ଼ିଶାର ସାହାରା ଜମାକାରୀ ! ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସାହାରା ଇଣ୍ଡିଆର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଏମାନଙ୍କ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଦାଖଲ କରୁଥିବା ଜଣାପଡ଼ିଛି। ରାଜ୍ୟରେ କେତେ ନିବେଶକାରୀ ରହିଛନ୍ତି, ନିବେଶର ମୂଲ୍ୟ କେତେ, କାହାକୁ ଟଙ୍କା ମିଳିସାରିଲାଣି ଓ କାହାକୁ ମିଳିନାହିଁ ଏସମ୍ପର୍କିତ ତଥ୍ୟ ଦାଖଲ କରୁଛି ସମବାୟ ବିଭାଗ। ସୂଚନା ଅନୁସାରେ କେନ୍ଦ୍ର ସମବାୟ ସମିତି ନିବନ୍ଧକଙ୍କୁ ରାଜ୍ୟ ୨୬ଟି ଜିଲ୍ଲାରେ ସାହାରାରେ ନିବେଶ ହୋଇଥିବା ଅର୍ଥ ସମ୍ପର୍କିତ ତଥ୍ୟ ପ୍ରଦାନ କରି ସାରିଥିବା ବେଳେ ବଳକା ୪ଟି ଜିଲ୍ଲାର ତଥ୍ୟ ବାକି ଅଛି। ତେଣୁ ଏହି ୪ ଜିଲ୍ଲାର ତଥ୍ୟ ଯଥାଶୀଘ୍ର ଦାଖଲ ପାଇଁ କେନ୍ଦ୍ର ସମବାୟ ସମିତି ନିବନ୍ଧକ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏହାପରେ ଉପ ଓ ସହକାରୀ ନିବନ୍ଧକମାନଙ୍କ ଜରିଆରେ ତଥ୍ୟ ସଂଗ୍ରହ ନେଇ ରାଜ୍ୟ ସମବାୟ ନିବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି। ସଂଗୃହୀତ ତଥ୍ୟ ସବୁ କେନ୍ଦ୍ର ସମବାୟ ନିବନ୍ଧକଙ୍କ ସମେତ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ପ୍ରଦାନ କରାଯିବ।
ସାହାରା କ୍ରେଡିଟ୍ କୋପରେଟିଭ୍ ସୋସାଇଟି ଲିମିଟେଡ୍, ହୁମର ଇଣ୍ଡିଆ କ୍ରେଡିଟ୍ କୋପରେଟିଭ୍ ସୋସାଇଟି ଲିମିଟେଡ୍, ସାହାରୟନ ମଲ୍ଟିପ୍ରପୋଜ୍ କୋପରେଟିଭ୍ ଲିମିଟେଡ୍ ପ୍ରମୁଖ କେନ୍ଦ୍ର ସରକାରଙ୍କର ବହୁ ରାଜ୍ୟ ସମବାୟ ସମିତି ଆଇନ, ୨୦୦୨ ଦ୍ୱାରା ପଞ୍ଜୀକୃତ ହୋଇଛନ୍ତି। ତେଣୁ ରାଜ୍ୟରେ ଏଭଳି ସମବାୟ ସମିତିଗୁଡ଼ିକର ଅନେକ ଶାଖା ରହିଥିବା ବେଳେ ରାଜ୍ୟବାସୀମାନେ ବହୁ ମାତ୍ରାର ଟଙ୍କା ଏଠାରେ ନିବେଶ କରିଛନ୍ତି। ଏହି ସଂସ୍ଥାଗୁଡ଼ିକ ସାହାରାକୁ ପ୍ରତିନିଧିତ୍ୱ କରୁଥିବା ବେଳେ ସମ୍ପୃକ୍ତ ସଂସ୍ଥା ଲୋକଙ୍କଠାରୁ ଆଣୁଥିବା ସମସ୍ତ ଟଙ୍କା ସାହାରାରେ ନିବେଶ କରିଛି। ଗୁରୁତ୍ବପୂର୍ଣ୍ଣ କଥାହେଲା ରାଜ୍ୟ ସମବାୟ ନିବନ୍ଧକଙ୍କ ପାଖରେ ଏସବୁ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ନାହିଁ। ତେବେକେନ୍ଦ୍ର ସମବାୟ ସମିତି ନିବନ୍ଧକଙ୍କ ମାଧ୍ୟମରେ ପଞ୍ଜିକୃତ ଓ ପରିଚାଳିତ ହେଉଥିବା କାରଣରୁ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର କେନ୍ଦ୍ର ନିକଟରେ ରହିଛି।
ସୂଚନାଯୋଗ୍ୟ, ମାର୍ଚ ୨୯ରେ ସାହାରା ଇଣ୍ଡିଆ ଜମାକାରୀ ଟଙ୍କା ଫେରସ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲା । ଏହା ଅଧୀନରେ ସେବି ନିକଟରେ ଜବତ ହୋଇଥିବା ୨୪ ହଜାର କୋଟି ଟଙ୍କା ମଧ୍ୟରୁ ୫୦୦୦ କୋଟି ଟଙ୍କା ନିବେଶକଙ୍କୁ ଫେରାଇ ଦିଆଯିବ। ବିଗତ ଅନେକ ବର୍ଷ ଧରି ଏହି ଟଙ୍କା ଅଟକି ରହିଥିବା ବେଳେ ସାଧାରଣ ଜମାକାରୀମାନେ ଗଭୀର ମାନସିକ ଚାପ ମଧ୍ୟରେ ଗତି କରୁଥିଲେ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ସେମାନଙ୍କ ପାଇଁ ବଡ଼ ଆଶ୍ବସ୍ତି ଆଣିଦେଇଛି । ୨୦୧୨ ଅଗଷ୍ଟମାସରେ ସୁପ୍ରିମ୍ କୋର୍ଟ ସାହାରା ଗ୍ରୁପ୍ ର ଦୁଇଟି କମ୍ପାନି ସାହାରା ଇଣ୍ଡିଆ ରିଅଲ୍ ଇଷ୍ଟେଟ୍ କର୍ପୋରେସନ୍ (ଏସ୍ ଆଇଆର୍ ଇସିଏଲ୍) ଏବଂ ସାହାରା ହାଉସିଂ ଇଣ୍ଡିଆ କର୍ପୋରେସନ୍ ଲିମିଟେଡ୍ (ଏସ୍ ଆଇସିଏଲ୍)କୁ ନିବେଶକଙ୍କ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ଏସ୍କ୍ରୋ ଆକାଉଣ୍ଟ୍ ଖୋଲାଯାଇଥିଲା। ଏହା ଅଧୀନରେ ୨୪ ହଜାର କୋଟି ଟଙ୍କା ଜମା କରାଯାଇଥିଲା । ସେହି ଆକାଉଣ୍ଟରୁ ଜମା ହୋଇଥିବା ଟଙ୍କା ନିବେଶକଙ୍କୁ ପ୍ରଦାନ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଜଷ୍ଟିସ୍ ଏମ୍ ଆର୍ ଶାହା ଓ ଜଷ୍ଟିସ୍ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ସାହାରା ଗ୍ରୁପ୍ ଦ୍ୱାରା ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଏହି ଅର୍ଥ ବଣ୍ଟନ କରାଯିବ । ଟଙ୍କା ଫେରସ୍ତ ପ୍ରକ୍ରିୟା ଉପରେ ନଜର ରଖିବେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଆର ସୁଭାଷ ରେଡ୍ଡୀ।