କନ୍ଧମାଳରେ ଓଡ଼ିଶାର ପ୍ରଥମ ‘ସ୍ୱାସ୍ଥ୍ୟସେବା ଡ୍ରୋନ୍‍ ବିତରଣ ନେଟୱାର୍କ’ଉଦଘାଟିତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରି ସେଗୁଡ଼ିକର ସମୀକ୍ଷା କରିଛନ୍ତି । ଫୁଲବାଣୀଠାରେ ସାଂସଦ ଶ୍ରୀ ସାମନ୍ତ ଆଜି ଓଡ଼ିଶାର ପ୍ରଥମ ‘ସ୍ୱାସ୍ଥ୍ୟସେବା ଡ୍ରୋନ୍‍ ବିତରଣ ନେଟୱାର୍କ’କୁ ଉଦ୍‍ଘାଟନ କରିଥିଲେ । ଫୁଲବାଣୀସ୍ଥିତ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଡ୍ରୋନ୍‍ ସେବାକେନ୍ଦ୍ର ଉଦ୍‍ଘାଟନ କରି ଶ୍ରୀ ସାମନ୍ତ କହିଲେ, କନ୍ଧମାଳର ଦୁର୍ଗମ ଅଞ୍ଚଳରେ ଏହି ସେବା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସହାୟକ ହେବ ।

ଭାରତର ଆକାଙ୍‍କ୍ଷୀ ଜିଲ୍ଲାଗୁଡ଼ିକ ମଧ୍ୟରେ ପ୍ରଥମ କରି କନ୍ଧମାଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ବେଳେ ଏହା ଦ୍ୱାରା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରହୁଥିବା ବହୁ ଲୋକ ଉପକୃତ ହୋଇପାରିବେ । ଲୋକଙ୍କ ନିକଟରେ ତତ୍‍କ୍ଷଣାତ ଔଷଧ ଓ ଟିକାକରଣ ସୁବିଧା ଆଦି ଯୋଗାଇ ଦିଆଯିବା ସହ ଲୋକଙ୍କଠାରୁ ରକ୍ତ ନମୁନା ମଧ୍ୟ ସଂଗ୍ରହ କରାଯାଇପାରିବ ବୋଲି ଶ୍ର୍ରୀ ସାମନ୍ତ କହିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଶ୍ରୀ ସାମନ୍ତ ପ୍ରଶଂସା କରିଥିଲେ । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସ୍ତାବିତ ନୂତନ କୋଠା ପାଇଁ ଜମିର ପରିଦର୍ଶନ କରିବା ସହ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବାକୁ ଥିବା ନୂଆ ବ୍ଲଡ ବ୍ୟାଙ୍କ ସ୍ଥାନ ଶ୍ରୀ ସାମନ୍ତ ଆଜି ବୁଲି ଦେଖିଥିଲେ।

ଏହା ବ୍ୟତୀତ କନ୍ଧମାଳ ଜିଲ୍ଲାର ୨୦ଟି ବିଦ୍ୟାଳୟରେ ଶିକ୍ଷା ଓ ତତ୍‍ ସମ୍ବଦ୍ଧୀୟ ଭିତ୍ତିଭୂମିର ବିକାଶ ଓ ପୁନରୁଦ୍ଧାର ନିମନ୍ତେ ପାୱାର ଫାଇନାନ୍‍ସ କର୍ପୋରେସନ୍‍ ଲିମିଟେଡ୍‍ ଓ ଇଣ୍ଟିଗ୍ରେଟେଡ୍‍ ଡେଭେଲପମେଣ୍ଟ ଏଜେନ୍‍ସୀ ବାଲିଗୁଡ଼ା ମଧ୍ୟରେ ଏକ ବୁଝାମଣା ହୋଇଯାଇଛି । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍‍ ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

Leave A Reply

Your email address will not be published.