ଓଡିଆ ନ୍ୟୁଜ୍(ବ୍ୟୁରୋ): ଗତକାଲି ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମ ରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ଅନ୍ୟ ଅଭିଯୁକ୍ତ ଜଣଙ୍କ ଫେରାର ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଖୁଣ୍ଟକଟା ଗ୍ରାମର ଵିଜୟ ନାୟକ ଙ୍କ ପୁଅ ବିଷ୍ଣୁ ପ୍ରସାଦ ନାୟକ ଓରଫ୍ ଜଗୁ(୨୫)। ଅନ୍ୟ ଫେରାର ଥିବା ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ମହେନ୍ଦ୍ର ରାଉତ ଙ୍କ ପୁଅ ସୁରେଶ ରାଉତ ଓରଫ୍ ପୁଚୁକି।ଜଗୁ ଠାରୁ ଗୁଳିକାଣ୍ଡ ରେ ବ୍ୟବହାର କରା ଯାଇଥିବା ବନ୍ଧୁକ ( ରିଭଲଭର) ସହିତ ଗୋଟିଏ ଜୀବନ୍ତ ଗୁଳି ଛୁରୀ ଜବତ କରାଯାଇଛି। ଗତକାଲି ଘଟଣା ସ୍ଥଳରୁ ଦୁଇ ଟି ବାଇକ ଗୋଟିଏ ଖୋକା ଜବତ କରା ଯାଇଥିଲା।
ଗତକାଲି ଖୁଣ୍ଟକଟା ଗ୍ରାମ ର ରବିନ୍ଦ୍ରନାଥ ସ୍ବାଇଁ ଙ୍କ ପୁଅ ସଞ୍ଜୟ ସ୍ଵାଇଁ ଏବଂ ତାଙ୍କ ଦାଦା ପଞ୍ଚାନନ ସ୍ବାଇଁ ଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ କୁ ନେଇ ଜଗୁ ଏବଂ ପୁଚୁକି ପଞ୍ଚାନନ ଙ୍କ ଘରେ ପଶି ତାଙ୍କ ନାତି ଆଦିତ୍ୟ (୮) ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇବା ସହ ମହିଳା ମାନଙ୍କୁ ଗାଳିଗୁଲଜ କରି ଗୋଟିଏ ରାଉଣ୍ଡ ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଏ ବାବଦରେ ପଞ୍ଚାନନ ଙ୍କ ସ୍ତ୍ରୀ ରମ୍ଭା ସ୍ବାଇଁ ଙ୍କ ଏତଲା କୁ ଭିତ୍ତି କରି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହି ଗିରଫଦାରୀ କରିଛି। ତେବେ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତ ପୁଚୁକି କୁ ଗିରଫ କରାଯିବ ବୋଲି ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା କରିଛନ୍ତି।