ପୁରୀ(ଓଡ଼ିଆ ନ୍ୟୁଜ୍): ରଥଯାତ୍ରାର ଅନ୍ୟତମ ଆକର୍ଷଣ ନୀତି ହେଉଛି ଗଜପତି ମହାରାଜଙ୍କ ଛେରାପହରା ନୀତି । ବଡ଼ଦାଣ୍ଡରେ ରଥ ଗଡ଼ିବା ପୂର୍ବରୁ ତିନି ରଥରେ ଛେରାପହଁରା କରିଥାଆନ୍ତି ଗଜପତି । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ, ଚଳନ୍ତି ବିଷ୍ଣୁ ଭାବେ ସମ୍ମାନିତ ଗଜପତି ମହାରାଜା ଶ୍ରୀନଅରରୁ ରାଜାବେଶରେ ତାମଯାନରେ ବସି ବାଜା ପଟୁଆରରେ ବଡ଼ଦାଣ୍ଡକୁ ଆସିଥାଆନ୍ତି । ସେଠାରେ ଅପେକ୍ଷାରତ ୩ ରଥ ମଧ୍ୟରୁ ପ୍ରଥମେ ବଳଭଦ୍ର ଠାକୁରଙ୍କ ରଥରେ ଉଠନ୍ତି । ଦଣ୍ଡପ୍ରଣାମ କରି ହାଟୁଆଣି ନେଇ ପୁଷ୍ପାଞ୍ଜଳି ଦିଅନ୍ତି । ଏହା ପରେ ରାଜା କର୍ପୂର ଆଳତି ଓ ସୁନା ଚାମର ଆଳତି କରନ୍ତି । ପରେ ରଥର ସିଂହାସନରୁ ଓହ୍ଲେଇ ଛେରାପହଁରା କରଥାଆନ୍ତି ।
ରାଜଗୁରୁ ସଂସ୍କାର କରି ରାଜାଙ୍କ ହାତକୁ ବଢ଼େଇ ଦିଅନ୍ତି ସୁନାଖଡ଼ିକା । ଭଣ୍ଡାର ମେକାପ ରଥର ଚାରି ପାଖରେ ବୁଲି ଧଳାଫୁଲ ଆଗରେ ପକାନ୍ତି, ରାଜା ଚାରି ପାଖରେ ବୁଲି ସେହି ସୁନା ଖଡ଼ିକାରେ ପହଁରା କରନ୍ତି । ପହଁରା ପରେ ରଥର ଚାରିପଟେ ସଂସ୍କାର କରାଯାଇଥିବା ଚନ୍ଦନପାଣି ଓ ଚନ୍ଦନ ଗୁଣ୍ଡ ଛିଞ୍ଚନ୍ତି । ଏହିପରି ଭାବରେ ଶ୍ରୀଜଗନ୍ନାଥଙ୍କ ରଥ ଓ ଦେବୀ ସୁଭଦ୍ରାଙ୍କ ରଥରେ ମଧ୍ୟ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥାଏ। ଛେରାପହଁରା ନୀତି ପରେ ଗଜପତି ମହାରାଜା ନଅରକୁ ଫେରିଥାନ୍ତି । ଏହା ପରେ ଗଡ଼ିଥାଏ ରଥ । କ୍ରମାନ୍ୱୟରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥ ଟଣା ହୋଇ ଯାଏ ଗୁଣ୍ଡିଚା ଘର ଅଭିମୁଖେ । ଇଏ ଥିଲା ରଥଯାତ୍ରାରେ ଛେରାପହଁରାର ବିଶେଷତ୍ୱ ।