ରାଜ୍ୟର ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୪ ଘଣ୍ଟା ବ୍ୟବଧାନରେ ପୁଣିଥରେ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର ଓ କଟକ। ଗୁରୁବାର ୪୦ ଡିଗ୍ରି ତଳେ ଥିବା ଟୁଇନ୍‌ ସିଟିର ତାପମାତ୍ରା ଆଜି ପୁଣିଥରେ ୪୦ ଡିଗ୍ରି ପାର୍‌ କରିଛି। ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ । ଆଜି (ଶୁକ୍ରବାର) ବୌଦ୍ଧରେ ସର୍ବାଧିକ ୪୪.୬ ଡିଗ୍ରୀ ପାରଦ ରେକର୍ଡ ହୋଇଛି ।

୭ଟି ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଥିଲା। ୨୬ଟି ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଥିଲା। ଆଜି ମଧ୍ୟ ସେହିଭଳି ଝାଞ୍ଜି ବହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଗତ ୧୫ ଦିନ ହେବ ଏତେ ମାତ୍ରାରେ ଅସହ୍ୟ ଗରମ ଗୁଳୁଗୁଳି ହେଉଛି ଯେ, ସକାଳ ୭ଟାରୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି | ତେବେ ଆଗାମୀ ଦିନେ କି ୨ଦିନ ପରେ ଉପକୂଳ ଓଡିଶାରୁ ହିଟ-ୱେଭ ଉପରେ ଲାଗିପାରେ ବ୍ରେକ । ୬ ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ସମ୍ଭାବନା ରହିଛି ।

ଏହାରି ଭିତରେ ଆଉ ଏକ ଆଶ୍ବସ୍ତି କଲା ଭଳି ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ। ମେ’ ୯ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାବାସୀଙ୍କୁ ଗ୍ରୀଷ୍ମ ପ୍ରବାହ‌(ହିଟ୍‌ୱେଭ୍‌)ରୁ ଆଶ୍ବସ୍ତି ମିଳିବ। ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ। ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଅଧିକ ରହିବ। ମେ’ ୬ରୁ ୯ ତାରିଖ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସହ ପବନ ହୋଇପାରେ।

Leave A Reply

Your email address will not be published.