ବାରିପଦାରେ ପାଳିତ ହେଲା ପିଏମ୍ କିଶାନ ଉତ୍ସବ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା। ବାରାଣସୀରେ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ସପ୍ତଦଶ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ଦେଶର ପ୍ରାୟ ୯ କୋଟି ୨୬ ଲକ୍ଷ ଚାଷୀଙ୍କ ଖାତାକୁ ପଠାଯାଇଛି ପିଏମ କିଷାନ ଟଙ୍କା । ୧୭ତମ କିସ୍ତିରେ ୨୦ ହଜାର କୋଟି ଟଙ୍କା ଡିବିଟି ଜରିଆରେ ଚାଷୀଙ୍କ ଖାତାକୁ ଯାଇଛି । ୨ ହଜାର ଟଙ୍କା ଲେଖାଏଁ ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ।

ଏହି ଅବସରରେ ଉତ୍ତରପ୍ରଦେଶ ବାରାଣସୀରୁ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧନ କରି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଉପରେ ବିଶ୍ୱାସ ରଖି ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ବିଶ୍ୱର ସବୁଠୁବଡ଼ ଯୋଜନା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନାରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଉଛି ଟଙ୍କା। ପ୍ରଧାନମନ୍ତ୍ରୀ କହିଛନ୍ତି ଆମ କୃଷକ ଭାଇ ଓ ଭଉଣୀଙ୍କ ଜୀବନକୁ ସହଜ କରିବାକୁ ଆମ ସରକାର ପ୍ରତିବଦ୍ଧ। ପବିତ୍ର କାଶୀରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଜାରି କରି ଆମେ ଗର୍ବିତ ଅନୁଭବ କରୁଛୁ। ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଯାଇ ସେଠାକାର କିଛି ଚାଷୀଙ୍କୁ ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ପ୍ରୟାସ ହଲ ଠାରେ କୃଷିବିଭାଗ ପକ୍ଷରୁ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର କୋଣ ଅନୁକୋଣରୁ ଚାଷୀମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇଥିଲେ । ପ୍ରଧାନମନ୍ତ୍ରୀ ସଦାସର୍ବଦା ଚାଷୀଙ୍କ କଥାକୁ ପ୍ରଧାନ୍ୟତା ଦେଇ ଆସିଛନ୍ତି । ଆଉ ଏହି ପରିପ୍ରେକ୍ଷୀରେ ଆଜିର ଏହି ଆୟୋଜନ ମଧ୍ୟ ଚାଷୀଙ୍କୁ ସମର୍ପିତ ବୋଲି ସାଂସଦ ନବଚରଣ ମାଝୀ ପ୍ରକାଶ କରିଛନ୍ତି । ଏହାଛଡା ଦେଶରେ ମହିଳାଙ୍କୁ ଆଗକୁ ନେବାପାଇଁ ମଧ୍ୟ ମୋଦି ସରକାର ପ୍ରତିବଦ୍ଧ । ଏଥିପାଇଁ ଅଧିକ ଲକ୍ଷପତି ଦିଦି ପାଇଁ ଯୋଜନା ଲାଗୁ କରାଯାଇଛି ବୋଲି ସାଂସଦ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।

Comments are closed.