ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଯାଜପୁର ବିଞ୍ଝାରପୁରର ବାଚ୍ଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୧୧ଜଣଙ୍କୁ ବାନ୍ଧିଛି ପୋଲିସ। ଏମାନଙ୍କ ମଧ୍ୟରେ ଅଛନ୍ତି ୬ ପୁରୁଷ ଓ ୫ ମହିଳା।ଏହି ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ମଲ୍ଲିକକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହାସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି। କିନ୍ତୁ ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି। ଏନେଇ ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି।
କହିରଖୁଛୁ କି ଗତକାଲି ବିଞ୍ଝାରପୁର ବ୍ଲକ ବାଚ୍ଛୋଳ ପଞ୍ଚାୟତରେ ୫ଟି ବୁଥ୍ ଜବରଦଖଲ ଓ ଭୋଟ ବାକ୍ସ ଫିଙ୍ଗିବା ଘଟଣା ସାମ୍ନାକୁ ଆସିଥିଲା। ଏହାର ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ବାଚ୍ଛୋଳ ପଞ୍ଚାୟତକୁ ଯାଇ ଭିଡ଼ିଓ ସୁଟିଂ କରିବା ବେଳେ ଗଣମାଧ୍ୟମ୍ ପ୍ରତିନିଧି ମାନଙ୍କୁ ସେଠାକାର କିଛି ଲୋକା ନିସ୍ତୁକ ମାଡ଼ ମାରିଥିଲେ। ଯାହାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରରାଲ ହୋଇଥିଲା। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମର ମୁଖ୍ୟ ସମ୍ପାଦକ ମାନେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ସମ୍ପାଦକମାନଙ୍କ ଅଭିଯୋଗକୁ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେବା ସହ ଯାଜପୁର ଏସ୍ପିଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସେପଟେ ଏହି ଘଟଣାରେ ଗତକାଲିଏସପି ରାହୁଲ ପିଆରଙ୍କ ନେତୃତ୍ଵରେ ବାଚ୍ଛୋଳ ଗ୍ରାମରେ ଶତାଧିକ ପୋଲିସ ପହଞ୍ଚି ଗ୍ରାମର ୧୦ ମହିଳାଙ୍କ ସମେତ ୨୫ ଜଣଙ୍କୁ ଉଠାଇ ନେଇଥିଲା। ଏସ ପିଙ୍କ ସୂଚନା ଅନୁସାରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ରବିବାର ରାତିରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ବିଞ୍ଝାରପୁର ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଗିରଫ ଭୟରେ ବାଚ୍ଛୋଳ ଗ୍ରାମ ଏକପ୍ରକାର ପୁରୁଷଶୂନ୍ୟ ହୋଇଯାଇଛି।
ଗତକାଲି ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରଯାଇଥିଲା। କେବଳ ରାଜନୈତିକ ମହଲ ନୁହେଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ମଧ୍ୟ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଥିଲେ ଓ ସାମ୍ବାଦିକଙ୍କ ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଦାବି କରିଥିଲେ।