ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ୫୦ ତମ ଜି୭ ନେତାଙ୍କ ସମ୍ମିଳନୀରେ ଭାଗ ନେବାକୁ ତାଙ୍କର ଇଟାଲୀ ଗସ୍ତ ଆରମ୍ଭ କରିବାକୁ ଯାଉଛନ୍ତି। ତୃତୀୟ କାର୍ଯ୍ୟକାଳ ପାଇଁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଯାତ୍ରା ଅଟେ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲୋନିଙ୍କ ନିମନ୍ତ୍ରଣକ୍ରମେ ଉକ୍ତ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ଆଜି ଇଟାଲୀ ଗସ୍ତ କରିବେ ବୋଲି ବୈଦେଶିକ ସଚିବ ବିନୟ ମୋହନ୍ କ୍ୱାତ୍ରା ସୂଚନା ଦେଇଛନ୍ତି।
ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ମୋଦିଙ୍କର ପ୍ରଥମ ବୈଦେଶିକ ଗସ୍ତ। ଏହି ଶିଖର ସମ୍ମିଳନୀରେ ମୁଖ୍ୟତ ବିଶ୍ୱ ଭୂ-ରାଜନୈତିକ ଅଶାନ୍ତିର ମୁକାବିଲା ଉପରେ ଧ୍ୟାନ ରହିବ। ତେବେ ଇଟାଲୀରେ ୫୦ତମ ଜି-ସେଭନେ ସମ୍ମିଳନୀ ଆୟୋଜିତ ହେଉଛି । ନିଜ ଗସ୍ତ ବେଳେ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଜୁନ୍ ୧୩ ରୁ ୧୫ ପର୍ଯ୍ୟନ୍ତ ଇଟାଲୀର ଆପୁଲିଆ ଅଞ୍ଚଳର ବିଳାସପୂର୍ଣ୍ଣ ବୋର୍ଗୋ ଏଗନାଜିଆ ରିସର୍ଟରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଇସ୍ରାଏଲ୍-ହାମାସ୍ ବିବାଦ ସମେତ ବିଶ୍ୱସ୍ତରୀୟ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି।
ତେବେ ଜ୭ ସମ୍ମିଳନୀ ପୂର୍ବରୁ ଖଲିସ୍ତାନୀ ସମର୍ଥକମାନେ ବୁଧବାର ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ସେମାନେ ପ୍ରତିମୂର୍ତ୍ତି ଅନବାରଣର କିଛି ଘଣ୍ଟା ପରେ ସେଠାରେ ଏହାକୁ ଭାଙ୍ଗିଦେବା ସହ ନିହତ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ସମର୍ଥନରେ ସ୍ଲୋଗାନ ଲେଖିଛନ୍ତି। ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ପ୍ରସଙ୍ଗ ଇଟାଲୀ କର୍ତ୍ତୃପକ୍ଷଙ୍କ ଆଗରେ ଉଠାଯାଇଛି ବୋଲି କ୍ୱାତ୍ରା କହିଛନ୍ତି। ଗତବର୍ଷ କାନାଡାର ବ୍ରିଟିଶ୍ କଲମ୍ବିଆରେ ମଧ୍ୟ ଖଲିସ୍ତାନୀ ଆତଙ୍କବାଦୀମାନେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ।