ଆଜି ଶ୍ରୀଜିଉଙ୍କୁ ଲାଗି ହେବ ରାହୁ ରେଖା, ୪ ଘଣ୍ଟା ଦର୍ଶନ ବନ୍ଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥି ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୨ଟା ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସୁନ୍ଦର ଦେଖାଯିବା ପାଇଁ ରାହୁରେଖାକୁ ଚତୁଃର୍ଦ୍ଧାମୂର୍ତ୍ତିଙ୍କୁ ଲାଗି କରାଯିବ।

ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ ଏହା ଅନ୍ୟତମ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବାୟତମାନେ ଗୋଷ୍ଠିଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିବେ। ଉକ୍ତ ଦିନ ଗୋପାଳବଲ୍ଲଭ ଭୋଗ ବଢିବା ପରେ ତଢ଼ାଉ କରଣ ଓ ଦେଉଳକରଣ ଭଣ୍ଡାର ମେକାପ ଙ୍କୁ କହି ଭଣ୍ଡାରରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରି ଆଣିଥାନ୍ତି। ପ୍ରଥମ ଭୋଗମଣ୍ଡପ ସରିବା ପରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ । ମହାଜନ ସେବକ ଭୂଦେବୀ ଓ ଶ୍ରୀଦେବୀ ଙ୍କୁ ଖଟ ଶେଜ ଘରୁ ଆଣି ରତ୍ନସିଂହାସନ ରେ ବିଜେ କରିଥାନ୍ତି।

ଏହାପରେ ଶ୍ରୀଜୀଉମାନଙ୍କ ମଇଲମ ହୋଇ ବେଶ ବଢିଥାଏ। ତତ୍ପରେ ମଧ୍ୟାହ୍ନ ଧୂପ ପୂଜା ସରି ଭିତରେ ପାଣି ପଡିବା ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ୩ ବାଡ଼ରେ ବନ୍ଦାପନା କରିଥାନ୍ତି । ଏହାପରେ ଅନ୍ୟାନ୍ୟ ଦୈନିକ ନୀତି ହୋଇଥାଏ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାଇ ଆଜି ଅପରାହ୍ନ ୨ଟା ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Leave A Reply

Your email address will not be published.