ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ବର୍ଷା ଜାରି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ଜୁଲାଇ ୨୬ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୨୭ରେ ଏହା ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ୨୮ରେ ଓଡ଼ିଶା ଓ ଛତିଶଗଡ଼ ଉପରେ ଏହାର ପ୍ରଭାବ ରହିବ । ଲଘୁଚାପ ପ୍ରଭାବରୁ ୨୭ରୁ ୨୯ ଯାଏ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡା, କଟକ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଡେଙ୍କାନାଳ, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି।

ସେପଟେ ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ଭିନ୍ନ ଆକଳନ କରାଯାଇଛି। ଜୁଲାଇ ୨୭ ତାରିଖ ଯାଏ ରାଜ୍ୟରେ ଅଧିକ ବର୍ଷା ହେବ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିବ । ୩୦ ଓ ୩୧ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଉତ୍ତର ଓ ମଧ୍ୟ ଓଡ଼ିଶା ସମେତ ଅନେକ ସ୍ଥାନରେ ଭଲ ବର୍ଷା ହେବ। ୨୫ରୁ ୨୭ ତାରିଖ ଯାଏ ବର୍ଷା ଲାଗି ରହିବ । ୨୮ରୁ ୩୦ ତାରିଖ ଯାଏ ସାମାନ୍ୟ କମିବ । ୩୧ରୁ ପୁଣି ବର୍ଷା ବଢ଼ିବ ।

Comments are closed.