ରାଜ୍ୟସଭାରୁ ଟିଏମସି ନେତାଙ୍କ ଇସ୍ତଫା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ବାନାର୍ଜୀ ସରକାର ବିରୋଧରେ ଜନଆକ୍ରୋଶ ଜାରି ରହିଥିବା ବେଳେ ଟିଏମସିରେ କୁହୁଳୁଥିବା ଅସନ୍ତୋଷ ପଦାରେ ପଡିଲାଣି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଆରଜି କର ହସପିଟାଲ ଘଟଣାରେ ମମତା ବାନାର୍ଜୀ ସରକାରଙ୍କ ଆଭିମୁଖ୍ୟ ବିରୋଧରେ ଚରମ ଅସନ୍ତୋଷ ପ୍ରକାଶ କରି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଟିଏମସି ନେତା ଜବାହର ସରକାର । ମମତାଙ୍କୁ ନିଜର ଇସ୍ତଫା ନେଇ ଚିଠି ଲେଖି ଜଣାଇ ଦେଇଛନ୍ତି ଜବାହର ।

ନିଜ ଦଳର ହିଁ କିଛି ନେତାଙ୍କ ବିରୋଧରେ ଦବଙ୍ଗଗିରିର ଅଭିଯୋଗ ଆଣି ମମତାଙ୍କୁ ଚିଠି ଲେଖିଛନ୍ତି ଜବାହର । ଜବାହରଙ୍କ ଅସନ୍ତୋଷ ଓ ରାଜ୍ୟସଭାରୁ ଇସ୍ତଫା ମମତା ବାନାର୍ଜୀ ସରକାରଙ୍କ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି । ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗିରଫ କରିବା ଦାବି ବଢିବାରେ ଲାଗିଛି। ଏ ସମ୍ପର୍କରେ ଭାଜପା ଏମପି ଜ୍ୟୋତିର୍ମୟ ସିଂ ମହତୋ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଆରଜି କର ମେଡିକାଲ କଲେଜ ବଳାତ୍କାର-ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ଏଥିସହ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ନିକଟରେ କୋଲକାତାରେ ହୋଇଥିବା ବଳାତ୍କାର ଘଟଣା ତଥା ସନ୍ଦୀପ ଘୋଷଙ୍କ ସହ ଜଡିତ ସ୍ବାସ୍ଥ୍ୟ ଦୁର୍ନୀତି ଅଭିଯୋଗରେ ଭାଜପା ଏମପିଙ୍କ ଚିଠି ଆସିଛି। ମମତା ବାନାର୍ଜୀଙ୍କୁ ଏକ ଅସନ୍ତୋଷ ଓ ଆକ୍ରୋଶ ଭରା ଚିଠି ଲେଖିଛନ୍ତି ଜବାହର । ଦୁର୍ନୀତିଗ୍ରସ୍ତ ଅଧିକାରୀ ବା ଡାକ୍ତରମାନଙ୍କୁ ଉଚ୍ଚ ପଦପଦବୀ ମିଳିଛି । ଏଭଳି କିଛି ଘଟଣାକୁ ସେ ବରଦାସ୍ତ କରିପାରୁନାହାନ୍ତି ବୋଲି ଟିଏମସି ସୁପ୍ରିମୋଙ୍କୁ ଲେଖିଥିବା ଚିିଠିରେ ଉଲ୍ଲେଖ କରିଛନ୍ତି ଜବାହର ସରକାର । ଆରଜି କର ଘଟଣା ପରେ ଜନତାଙ୍କ ଆକ୍ରୋଶ ଟିଏମସି ସରକାର ପ୍ରତି ବଢୁଥିବା ଅସନ୍ତୋଷକୁ ଦର୍ଶାଉଛି ।

Comments are closed.