ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରବିବାର ଦେଶରେ ମଙ୍କିପକ୍ସ ଭୂତାଣୁର ପ୍ରଥମ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ଘୋଷଣା କରିଛି। ନିକଟରେ ଭାରତ ଆସିଥିବା ଜଣେ ଯୁବ ପୁରୁଷ ରୋଗୀଙ୍କ ସମ୍ପର୍କରେ ଆଜି ମନ୍ତ୍ରାଳୟ ପକ୍ଷରୁ ଅବଗତ କରାଯାଇଛି ଏବଂ ତାଙ୍କର ଭ୍ରମଣ ଇତିହାସରୁ ଜଣାପଡ଼ିଛି ଯେ ଏମ୍ପକ୍ସ ସଂକ୍ରମଣର ସମ୍ମୁଖୀନ ହୋଇଥିବା ଏକ ଦେଶରୁ ସେ ଫେରିଛନ୍ତି। ଚିହ୍ନଟ ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ପୃଥକ ବ୍ୟବସ୍ଥାରେ ରଖାଯାଇଛି। ଉକ୍ତ ବ୍ୟକ୍ତି ସଂକ୍ରମିତ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।
ତାଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଛି। ଅନ୍ୟପଟେ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଅବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର କହିଛି । ସନ୍ଦିଗ୍ଧ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଗୋପନୀୟ ରଖାଯାଇଛି। PIB ରିପୋର୍ଟ ଅନୁଯାୟୀ, ବିଦେଶରୁ ଆଗତ ଏହି ବ୍ୟକ୍ତି ଜଣଙ୍କ ଅନ୍ୟ କେଉଁମାନଙ୍କ ସହ ମିଶିଥିଲେ, ସେନେଇ ଟ୍ରେସିଂ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରଣାଳୟ କହିଛି।
ଗତ ସପ୍ତାହରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଥମେ ମଙ୍କିପକ୍ସ ସ୍ଥିତି ସମୀକ୍ଷା କରିବାର କିଛି ଦିନ ପରେ ଦେଶରେ ଏହି ଭୂତାଣୁର ପ୍ରଥମ ସନ୍ଦିଗ୍ଧ ସାମ୍ନାକୁ ଆସିଛି। ମଙ୍କିପକ୍ସ ସଂକ୍ରମଣ ସାଧାରଣତଃ ୨-୪ ସପ୍ତାହ ମଧ୍ୟରେ ରହିଥାଏ ଏବଂ ରୋଗୀମାନେ ଏହି ସମୟସୀମା ମଧ୍ୟରେ ନିର୍ଦ୍ଧାରିତ ଚିକିତ୍ସା ପଦ୍ଧତିରେ ସୁସ୍ଥ ହୁଅନ୍ତି।