ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ କାର୍ଯ୍ୟକାଳକୁ ପୂରିଲା ବର୍ଷେ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ କାର୍ଯ୍ୟକାଳ ସମ୍ବଲପୁରରେ ବର୍ଷେ ପୂରିଛି। ରାଜ୍ୟର ଅନ୍ୟତମ ପ୍ରମୁଖ ଓ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ସମ୍ବଲପୁରରେ ଏହି ଯୁବ ଜିଲ୍ଲାପାଳଙ୍କ କାର୍ଯ୍ୟକାଳର ପ୍ରଥମ ବର୍ଷ ବେଶ ଘଟଣାବହୁଳ ରହିଥିଲା। ଏହି ଗୋଟିଏ ବର୍ଷରେ କେତେକ ବିକାଶମୂଳକ କାମ ହୋଇଥିଲେ ବି ଅନେକ ଭୁଲ କାରଣକୁ ନେଇ ସମ୍ବଲପୁର ଚର୍ଚ୍ଚାରେ ରହିଥିଲା। ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ଜୀବନରେ ବିବାହ ଭଳି ଗୁରୁତ୍ବପୂର୍ଣ୍ଣ ଘଟଣା ମଧ୍ୟ ଏହି ସମୟରେ ଘଟିଥିଲା। କଟକ ମହାନଗର ନିଗମ କମିସନର୍‌ ଥିବା ଅନନ୍ୟା ଗତ ବର୍ଷ ଜୁନ୍ ୨୨ ତାରିଖ ଦିନ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।ସେ ପ୍ରଥମ କରି ଜିଲ୍ଲାପାଳ ଭଳି ଏକ ଗୁରୁ ଦାୟିତ୍ବ ପାଇଥିଲେ।

ସମ୍ବଲପୁରର ତୃତୀୟ ମହିଳା ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ ପରେ ଅନନ୍ୟା ନିଜ ପ୍ରଥମ ପ୍ରତିକ୍ରିୟାରେ ସମସ୍ତଙ୍କ ସହଯୋଗରେ ଜିଲ୍ଲାର ଉନ୍ନତି ପାଇଁ କାମ କରିବେ, ଯାହା ସବୁ ଅଧୁରା ପ୍ରକଳ୍ପ ରହିଛି ତାକୁ ସମୟରେ ପୂରା କରିବାକୁ ପ୍ରାଥମିକତା ଦେବେ ବୋଲି କହିଥିଲେ। ସମଲେଇ ପ୍ରକଳ୍ପ ତ୍ବରାନ୍ବିତ କରିବା ସହ ଚାଷ ଓ ଚାଷୀଙ୍କ ସମସ୍ୟା ବୁଝିବେ ବୋଲି କହିଥିଲେ।

ଅନନ୍ୟାଙ୍କ ପ୍ରତିଶ୍ରୁତି ମୁତାବକ ତାଙ୍କ ୧ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସମଲେଇ ଯୋଜନାରେ କାମ ବେଶ ଆଗକୁ ବଢ଼ିଛି। ମା’ ସମଲେଶ୍ବରୀଙ୍କ କ୍ଷେତ୍ରର ବିକାଶ ପାଇଁ ସରକାର ହାତକୁ ନେଇଥିବା ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପ କାମ ଦ୍ରୁତ ଗତିରେ ଚାଲିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପର କିଛି ଅଂଶ ଉଦ୍‌ଘାଟନଯୋଗ୍ୟ ହୋଇଥିବ ବୋଲି ଆଶା କରାଯାଉଛି। ୭ ବର୍ଷ ହେଲା କଚ୍ଛପ ଗତିରେ ତିଆରି ହେଉଥିବା ସମ୍ବଲପୁର ଫ୍ଲାଇଓଭର୍ ଓ କ୍ଷେତରାଜପୁର ଆର୍‌ଓବି ତାଙ୍କ ସମୟରେ ଖୋଲିଛି।

ଧନୁପାଲି-ଜେଲଛକ ସମେତ କେତେକ ପ୍ରମୁଖ ରାସ୍ତାର ନବୀକରଣ କାମ ଆରମ୍ଭ ହୋଇଛି। ହେଲେ ଏହି ବର୍ଷେ ମଧ୍ୟରେ ସମ୍ବଲପୁର ରାଜ୍ୟ ଓ ଜାତୀୟସ୍ତରରେ ଭୁଲ କାରଣରୁ ଯେତେ ଚର୍ଚ୍ଚିତ ହୋଇଛି ତାହା ବିଗତ ଅନେକ ବ‌ର୍ଷ ମଧ୍ୟରେ କେବେ ହୋଇ ନଥିଲା। ସେଥିରୁ ଗୋଟିଏ ହେଲା ହନୁମାନ ଜୟନ୍ତୀ ସମୟରେ ହୋଇଥିବା ହିଂସା। ଏହି ହିଂସା କାରଣରୁ ସମ୍ବଲପୁରବାସୀଙ୍କୁ କର୍ଫ୍ୟୁର ସମ୍ମୁଖୀନ ହେବାକୁ ପଡ଼ିଛି। ଧାନ କିଣାବିକା ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଠକ ଓ ନିଷ୍ପତ୍ତିରୁ ଚାଷୀମାନଙ୍କୁ ଏକପ୍ରକାର ଦୂରେଇ ରଖା ଯାଇଥିବାରୁ ସେମାନଙ୍କ ମଧ୍ୟରେ ଅ‌ସନ୍ତୋଷ ବୃଦ୍ଧି ପାଇଛି।

ଜିଲ୍ଲାର ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଲୋକେ ଉତ୍କଟ ଜଳକଷ୍ଟ ଭୋଗିଛନ୍ତି। ବିଦ୍ୟୁତ୍‌ ସେବା କଥା ନକହିବା ଭଲ। ସମ୍ବଲପୁରରେ ସ୍ବେରେଜ୍ ଏକ ବିଫଳ ପ୍ରକଳ୍ପ ସାବ୍ୟସ୍ତ ହୋଇଛି। ସହରର ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ମହାନଗର ନିଗମ ଏହାର ଦାୟିତ୍ବ ଠିକରେ ତୁଲାଇ ପାରୁ ନାହିଁ। ଏପରିକି ଜବରଦଖଲ ଉଚ୍ଛେଦରେ ବି ପାତରଅନ୍ତର ଅଭିଯୋଗ ହେଉଛି। ବିଭିନ୍ନ ବିଭାଗ ଉପରୁ ଜିଲ୍ଲାପାଳ ନିୟନ୍ତ୍ରଣ ହରାଇଥିବା ଜାଣିବା ଲୋକେ ମତ ଦେଉଛନ୍ତି। ଗତ ଏକ ବର୍ଷ ମଧ୍ୟରେ ସମ୍ବଲପୁରରେ ଶାସକ ଦଳ କ୍ରମଶଃ ନିଷ୍କ୍ରିୟ ହେଉଥିବାବେଳେ ବିରୋଧୀ ଦଳ ଅଧିକ ସକ୍ରିୟ ହେଉଥିବା ଦେଖିବାକୁ ମିଳିଛି। ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ଥିବାରୁ କୌଣସି ଅପ୍ରତ୍ୟାଶିତ ଘଟଣା ନ ଘଟିଲେ ଅନନ୍ୟାଙ୍କ ନେତୃତ୍ବରେ ହିଁ ସମ୍ବଲପୁରରେ ଭୋଟ ପରିଚାଳିତ ହେବ। ତେଣୁ ଏହି କିଛି ମାସର ସମୟ ରାଜନେତା ଓ ରାଜନୈତିକ ଦଳ ଗୁଡ଼ିକ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ଜିଲ୍ଲାପାଳଙ୍କ ପାଇଁ ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ।

କାରଣ ଏହି ସମୟରେ ଜିଲ୍ଲାରେ ଯେଉଁ କାମ ହେବ, ଭୋଟର ସେହି ଅନୁଯାୟୀ ସରକାରଙ୍କ ରିପୋର୍ଟ କାର୍ଡ ବନାଇବେ। ଆଉ ଜନତାଙ୍କ ମତ ଆଧାରରେ ସରକାର ଜିଲ୍ଲାପାଳଙ୍କ ରିପୋର୍ଟ କାର୍ଡ ଲେଖିବେ।

Leave A Reply

Your email address will not be published.