ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ପରଲୋକ, ବିଜେପିର ଶୋକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ନକ୍ଷେତ୍ର ନୁ୍ୟଜ ଚ୍ୟାନେଲର ପୂର୍ବତନ ସମ୍ପାଦକ ବାସୁଦେବ ମହାପାତ୍ରଙ୍କ ପରଲୋକ ହୋଇଛି । ଅସୁସ୍ଥତା କାରଣରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।  କିଛି ଦିନ ଧରି ଅସୁସ୍ଥ ଥିବା ବାସୁଦେବ ଆଜି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜି ଦେଇଥିଲେ ।

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ଛାତ୍ର ବାସୁଦେବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମଏ କରିଥିଲେ । ପିଲାବେଳୁ କଳା ଓ ସାହିତ୍ୟରେ ତାଙ୍କର ପ୍ରବଳ ରୁଚି ଥିଲା । ଏହା ତାଙ୍କୁ ସାମ୍ବାଦିକତା ବୃତ୍ତିକୁ ଟାଣି ଆଣିଥିଲା । ଖବରକାଗଜରେ ସାମ୍ବାଦିକତା ଆରମ୍ଭ କରିଥିଲେ । ଧରିତ୍ରୀ ଖବରକାଗଜରେ ସେ ବହୁତ ଦିନ କାର୍ଯ୍ୟ କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ତାଙ୍କର ଦକ୍ଷତା ଥିଲା । ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ବୁଝି ଲେଖନୀ ଚାଳନା କରିବା ଥିଲା ତାଙ୍କ ସାମ୍ବାଦିକତାର ମୂଳମନ୍ତ୍ର ।

ସ୍ୱର୍ଗତଃ ମହାପାତ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ବିଜେପି ମଡିଆ ବିଭାଗ । ଓଡିଶା ଆଜି ଜଣେ ଦକ୍ଷ ଓ ପ୍ରଭାବଶାଳୀ ସାମ୍ବାଦିକଙ୍କୁ ହରାଇଛି । ଗଣମାଧ୍ୟମରେ ପ୍ରଭାବ ବିସ୍ତାର କରିଥିବା ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ସାମ୍ବାଦିକତା ଜଗତର ଗୋଟିଏ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କ ନିଷ୍ଠା, ଦକ୍ଷତା ଓ ନିରପେକ୍ଷ ସମ୍ବାଦ ପରିବେଷଣ ନୂତନ ପିଢୀକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମନମୋହନ ସାମଲ ଗଭୀର ଶୋକ ବାର୍ତାରେ କହିଛନ୍ତି ।

Leave A Reply

Your email address will not be published.