ଜାପାନରେ ଭୟଙ୍କର ତୋଫାନ: ୨ ମୃତ, ୯୦ ଆହତ

0

ଟୋକିଓ (ବ୍ୟୁରୋ): ପୁଣି ଜାପାନରେ ଭୟଙ୍କର ତୋଫାନ ଦେଖିବାକୁ ମିଳିଛି । ତୋଫାନ ନାନମାଡ଼ୋଲ ରବିବାର ସକାଳେ ସ୍ଥଳଭାଗ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ଏହି ବାତ୍ୟାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୯୦ ଜଣ ଆହତ ହୋଇଛନ୍ତି। ୯୦ ଲକ୍ଷ ଲୋକଙ୍କୁ ସେମାନଙ୍କ ଘରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି । କୌଣସି ଲୋକଙ୍କର ଯେପରି କୌଣସି କ୍ଷତି ନହୁଏ, ସେଥିପାଇଁ ସରକାର ଓ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଜାପାନର ଦକ୍ଷିଣରେ କ୍ୟୁଶୁ ଦ୍ବୀପର କାଗୋସିମା ସହର ନିକଟରେ ତୋଫାନ ରବିବାର ଲ୍ୟାଣ୍ଡଫଲ ହୋଇଛି। ଆସନ୍ତା କିଛିଦିନ ମଧ୍ୟରେ ଏହା ଜାପାନର ମୁଖ୍ୟ ଦ୍ବୀପ ହୋନସୁ ଅତିକ୍ରମ କରିବା ଅନୁମାନ କରାଯାଉଛି। ବାତ୍ୟା ପାଇଁ ହଜାର ହଜାର ଲୋକ ରବିବାର ରାତିରେ ଜରୁରୀକାଳୀନ ଆଶ୍ରୟସ୍ଥଳରେ ରାତ୍ରିଯାପନ କରିଛନ୍ତି। ୩ ଲକ୍ଷ ୫୦ ହଜାର ଲୋକ ବିନା ବିଜୁଳିରେ ଅଛନ୍ତି। ପରିବହନ ଏବଂ ବ୍ୟବସାୟ ପ୍ରଭାବିତ ହୋଇଛି।

ଏହି ବାତ୍ୟାରେ ପବନର ବେଗ ଘଣ୍ଟାପ୍ରତି ୨୩୪ କିମି ରହିଛି। କିଛି ଅଞ୍ଚଳରେ ୨୪ ଘଣ୍ଟାରେ ୪୦୦ ମିଲିମିଟର ବର୍ଷା ହେବା ନେଇ ଆକଳନ କରାଯାଇଛି। ବାତ୍ୟା ଯୋଗୁଁ ଜାପାନରେ ବୁଲେଟ ଟ୍ରେନ, ଡଙ୍ଗା ଏବଂ ବିମାନ ସେବା ପ୍ରଭାବିତ ହୋଇଛି। ଶହ ଶହ ବିମାନ ବାତିଲ ହୋଇଛି। ରାଜଧାନୀ ଟୋକିଓରେ ମଧ୍ୟ ପ୍ରବଳ ବର୍ଷ ହୋଇଛି।

Leave A Reply

Your email address will not be published.