ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତିଙ୍କୁ ବି ହୋଇଥିଲା ଶ୍ରୀମନ୍ଦିର ବାରଣ, ଜାଣନ୍ତୁ କାହିଁକି..

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟ ଓ ପ୍ରଧାନ ସେବକ ଭାବେ ଗଜପତି ମହାରାଜା । ଶ୍ରୀଜଗନ୍ନାଥ ମନ୍ଦିର ସ୍ୱତ୍ୱଲିପିରେ ଏହିସେବାକୁ ଗଜପତି ମହାରାଜା ସେବା ଭାବରେ ଉଲ୍ଲେଖ କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜା ପ୍ରତ୍ୟହ ଶ୍ରୀମନ୍ଦିରରୁ ଖେଇ ସ୍ୱରୂପ ମହାପ୍ରସାଦ ପାଇଥାନ୍ତି । ପ୍ରତିଦିନ ମହାପ୍ରଭୁ ଜଗନ୍ନାଥ ବାଡ଼ପହୁଡ଼ ସମୟର ମାଳଚୂଳ, ପଇଡ଼ ଇତ୍ୟାଦି ଏବଂ ମଙ୍ଗଳ ଆଳତି ପ୍ରସାଦ ଚର୍ଚ୍ଚା କର୍ମଚାରୀ ଶ୍ରୀନଅରକୁ ନେଇଥାନ୍ତି । ମହାପ୍ରଭୁଙ୍କ ଅବକାଶ ନୀତି ଜଳ ପ୍ରତିଦିନ ମୂଖପ୍ରଖାଳ ପ୍ରତିହାରୀ ଶ୍ରୀନଅରରେ ଦିଅନ୍ତି । ବଡୁ ମହାପାତ୍ର ପ୍ରତ୍ୟେକ ଧୂପରେ, ପର୍ବପର୍ବାଣି ଦିନମାନଙ୍କରେ ଶ୍ରାଦ୍ଧ ଓ ସ୍ୱନକ୍ଷତ୍ର ଦିବସରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ତାଟ ଦିଅନ୍ତି । ମହାରାଣୀ ଓ ଜେନାମଣି ଖେଇ ସ୍ୱରୂପ ମହାପ୍ରସାଦ ପାଇଥାନ୍ତି । ଗଜପତି ମହାରାଜା, ମହାରାଣୀ ଏବଂ ଜେନାମଣିଙ୍କ ସ୍ୱନକ୍ଷତ୍ରରେ ଶ୍ରୀମନ୍ଦିରରେ ଅଧିକ ଭୋଗ ହୋଇ ଶ୍ରୀନଅରକୁ ତାଟ ଯାଏ । ପ୍ରତି ଏକାଦଶୀ ତିଥି ନିଶାର୍ଦ୍ଧରେ ଗଜପତିଙ୍କ ଶୁଭକାମନା କରି ଶ୍ରୀମନ୍ଦିର ନୀଳଚକ୍ରଠାରେ ମହାଦୀପ ଉଠେ । ହେଲେ ଇତିହାସ କହେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତିଙ୍କୁ ବି ଶ୍ରୀମନ୍ଦିର ବାରଣ କରାଯାଇଥିଲା।

ତତ୍କାଳୀନ ଗଜପତି ମହାରାଜ ରାମଚନ୍ଦ୍ର ଦେବ ମୋଗଲ ସୁବେଦାରଙ୍କ ଝିଅ ରେଜିୟାଙ୍କୁ ବିବାହ କରିଥିବାରୁ ତାଙ୍କୁ ଶ୍ରୀମନ୍ଦିର ମନା ହୋଇଥିଲା। ରାଜା ମୁକୁନ୍ଦ ଦେବଙ୍କ ପରେ ଗଜପତି ରାମଚନ୍ଦ୍ର ଦେବ ମହାପ୍ରଭୁ ଏବଂ ଜଗନ୍ନାଥ ସଂସ୍କୃତିକୁ ମୋଗଲ ଆକ୍ରମଣରୁ ରକ୍ଷା କରିବା ପାଇଁ ବାଧ୍ୟବାଧକତାରେ ରେଜିୟାଙ୍କୁ ବିବାହ କରିଥିଲେ। ରେଜିୟାଙ୍କ ଅନୁରୋଧ କ୍ରମେ ରାମଚନ୍ଦ୍ର ଦେବ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଆସିଥିଲେ। ହେଲେ ସିଂହଦ୍ୱାର ନିକଟରୁ ତାଙ୍କୁ ଫେରାଇ ଦିଆଯାଇଥିଲା। ମୁସଲମାନଙ୍କୁ ବିବାହ କରିଥିବାରୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ମହାପ୍ରଭୁଙ୍କ ଆଦ୍ୟ ସେବକଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ବାରଣ କରିଥିଲେ। ଏହାମୁ ଗଜପତି ମାନି ନେଇଥିଲେ। ଗଜପତିଙ୍କ ଦର୍ଶନ ପାଇଁ ସିହଦ୍ୱାର ଗୁମୁଟରେ ପତିତପାବନଙ୍କୁ ପ୍ରତିଷ୍ଠା କରାଯାଇଥିଲା। ସେହିଦିନଠାରୁ ପତିତପାବନ ଅଣହିନ୍ଦୁଙ୍କ ପାଇଁ ଗୁମୁଟରେ ପୂଜା ପାଉଛନ୍ତି। ଅନ୍ୟ ଧର୍ମର ଲୋକେ ପତିତପାବନଙ୍କୁ ଦର୍ଶନ କରୁଛନ୍ତି।

Leave A Reply

Your email address will not be published.