ଓଡ଼ିଆ ନ୍ୟୁଜ୍: ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କ ବଦଳି, ଗୃହ ବିଭାଗ OSD ଦାୟିତ୍ବ। ADGP କମ୍ୟୁନିକେସନ ପଦରୁ ହଟିଲେ ଗଙ୍ଗୱାର। ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ। ଗଙ୍ଗୱାରଙ୍କ ନାଁ ନେଇ ଅଭିଯୋଗ କରିଥିଲେ ମୃତ ସୌମ୍ୟଙ୍କ ମାଆ।
ଖବର ଅନୁଯାୟୀ, ମେ ୭ ତାରିଖରେ ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ପିଟି ପିଟି ହତ୍ୟା କରିଥିଲେ । ଏହି ମାମଲାରେ ପୋଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିସାରିଛି । ହେଲେ ଏହି ଘଟଣାରେ ସବୁଠୁ ଅଧିକ ବିବାଦୀୟ ହୋଇପଡିଥିଲେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗଓ୍ୱାର । ଏହି ବରିଷ୍ଠ ଆଇପିଏସଙ୍କ ନାଁରେ ପରିବାର ପକ୍ଷରୁ ଆଣିଥିଲେ ସଙ୍ଗୀନ ଅଭିଯୋଗ । ହେଲେ ଅଭିଯୋଗରେ କେତେ ସତ, କେତେ ମିଛ । ତା ବିଷୟରେ ସବିଶେଷ ତଥ୍ୟ ମିଳିନାହିଁ । ତେବେ ଏସବୁ ଭିତରେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗଓ୍ୱାରଙ୍କୁ ବଦଳି କରାଯାଇଛି । ଦୟାଲ ଗଙ୍ଗୱାରଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । ଦୟାଲ ଗଙ୍ଗଓ୍ୱାରଙ୍କ ବଦଳି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।