ସ୍କୁଲ ଭିତରେ ହେଉଛି ମଳ ବର୍ଷା : ପାଠ ପଢା ହେଉଛି ବାଧାପ୍ରାପ୍ତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ)ସ୍କୁଲ ଭିତରେ ହେଉଛି ମଳ ବର୍ଷା । କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଆଜି ଦିନ ତମାମ ସ୍କୁଲ ଭିତରେ ପିଲାଙ୍କ ସାର୍ଟ ପ୍ୟାଣ୍ଟରେ ଅଚାନକ ମଳ ଲାଗିବା ସହ ମଧ୍ୟାହ୍ନ ଭୋଜନ ଖାଦ୍ୟରେ ମଧ୍ୟ ମଳ ପଡୁଛି। ଯାହା ଫଳରେ ପାଠ ପଢା ବାଧାପ୍ରାପ୍ତ ହେବା ସହ ପିଲାମାନେ ସ୍କୁଲ ଯାଉନାହାନ୍ତି  । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗୁଣିଗାରେଡି ହୋଇଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ । ଏନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଏହାର ସନ୍ଧାନ ଖୋଜିବାକୁ ଚେଷ୍ଟା କରିଥିଲେ । କିନ୍ତୁ କୌଣସି ସୁଫଳ ପାଇପାରିନଥିଲେ । ଘଟଣା ଗ୍ରାମବାସୀ ମାନଙ୍କୁ ଜଣାଇବା ପରେ ଗ୍ରାମବାସୀ ମାନେ ସ୍କୁଲରେ ପହଂଚି ଏଭଳି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ କେଉଁଠାରୁ ଏମିତି କିଛି ମଳ ଛିଟା ପଡୁଛି ଓ ଏହାର କାରଣ ଜଣାପଡିନାହିଁ ।   

ଅନ୍ୟପଟେ ଏନେଇ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଓ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ରଙ୍କୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅବଗତ କରାଇବା ପରେ ଛତ୍ରପୁର ଥାନା କର୍ମଚାରୀ ଓ ସିଆରସିସି ସିମାଂଚଳ ଗୌଡ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଥାଉ କି, ତୁଡୁକପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ମୋଟ ୪୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଶୁକ୍ରବାର ୩୧ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିଲା । ତେବେ ଏଭଳି ଘଟଣା ସ୍କୁଲର କର୍ମଚାରୀ, ଅଭିଭାବକ ଓ ଗ୍ରାମବାସୀଙ୍କୁ ଚକିତ କରିଛି । ଘଟଣାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.