ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାହୁଲ ଗାନ୍ଧିଙ୍କ ବିରୋଧରେ ରାୟ ଦେଇଥିବା ବିଚାରପତିଙ୍କୁ କଂଗ୍ରେସ ନେତାଙ୍କ ଧମକ୍ । ତାମିଲନାଡୁର କଂଗ୍ରେସ ନେତା ମଣିକନ୍ଦନ ରାହୁଲଙ୍କ ବିରୋଧରେ ରାୟ ଦେଇଥିବା ବିଚାରପତିଙ୍କ ଜିଭ କାଟିଦେବୁ ଧମକ୍ ଦେଇଛନ୍ତି। ତେବେ ଏହି ବୟାନ ପରେ ବର୍ତ୍ତମାନ ୩ଟି ଧାରାରେ ମଣିକନ୍ଦନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ବୟାନକୁ ନେଇ ଡିଣ୍ଡିଗୁଲ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ ଅଧିକାରୀ କହିଛନ୍ତି ଯେ ତାମିଲନାଡୁର ଡିଣ୍ଡିଗୁଲରେ କଂଗ୍ରେସର ଏସସି / ଏସଟି ୟୁନିଟ୍ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ଆଉ ଏହି ସମୟରେ କଂଗ୍ରେସ ଜିଲ୍ଲା ମୁଖ୍ୟ ମଣିକନ୍ଦନ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବାସ୍ତବରେ, ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ଏହି କାରଣରୁ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଯାଇଥିଲା | ଏହାପରେ ରାହୁଲଙ୍କୁ ସଂସଦରୁ ଅଯୋଗ୍ୟ କରାଯାଇଥିଲା। କେବଳ ଏତିକି ନୁହେଁ, ରାହୁଲଙ୍କୁ ବଙ୍ଗଳା ଖାଲି କରିବାକୁ ଏକ ନୋଟିସ ମଧ୍ୟ ଦିଆଯାଇଥିଲା। ଏହାକୁ ନେଇ କଂଗ୍ରେସ ନେତା ଜଣକ ଉତକ୍ଷିପ୍ତ ହୋଇ ରାୟ ଦେଇଥିବା ବିଚାରପତିଙ୍କୁ ଧମକ ଦେଇଥିଲେ । କଂଗ୍ରେସ ନେତା ମଣିକନ୍ଦନ ବିଚାରପତିଙ୍କୁ ଧମକ ଦେଇ କହିଥିଲେ ଯେ ଜଷ୍ଟିସ ଏଚ ବର୍ମା, ଯେତେବେଳେ କଂଗ୍ରେସ କ୍ଷମତାକୁ ଆସିବ, ଆମେ ଆପଣଙ୍କ ଜିଭ କାଟିଦେବୁ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଆଜି ଗୁଜୁରାଟର ଏକ ସେସନ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜାମିନ ଦେଇଛନ୍ତି। ଜାମିନ ପାଇବା ପରେ କଂଗ୍ରେସର ପୂର୍ବତନ ଏମପି ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି ଯେ, ସତ୍ୟ ହେଉଛି ମୋର ଅସ୍ତ୍ର। ମିତ୍ରକାଳ ସମୟରେ ଲଢ଼ି ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ତାଙ୍କର ଏହା ହେଉଛି ସଂଗ୍ରାମ। ଏହି ସଂଗ୍ରାମରେ ସତ୍ୟ ମୋର ଅସ୍ତ୍ର ଏବଂ ସତ୍ୟ ମୋର ଆଶ୍ରୟ ବୋଲି ସେ ଟ୍ୱିଟ୍ କରିଛନ୍ତି। ବର୍ତ୍ତମାନର କେତେକ ନିର୍ଦ୍ଦିଷ୍ଟ ପୁଞ୍ଜିପତିମାନଙ୍କର କେନ୍ଦ୍ରସରକାରଙ୍କ ସହ ଥିବା ସମ୍ପର୍କକୁ ଟାର୍ଗେଟ କରି ଏହାକୁ ମିତ୍ରକାଳ ବୋଲି କହିଛନ୍ତି ରାହୁଲ। ସେହିପରି ବଜେଟକୁ ମଧ୍ୟ ସେ “ମିତ୍ର କାଲ୍ ବଜେଟ୍” ବୋଲି କହିଥିଲେ। ସୂଚନା ଅନୁଯାୟୀ, ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁରଟ ସେସନ୍ସ କୋର୍ଟ। ମୋଦୀ ସାଙ୍ଗିଆ ନେଇ ମାନହାନି ମାମଲାରେ ରାହୁଲଙ୍କ ଜାମିନ ଅବଧିକୁ ଏପ୍ରିଲ ୧୩ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି।