ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ। ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ। ଏହାଦ୍ୱାରା କାଠ ବଦଳରେ ଗୋବରରେ ତିଆରି କାଠରେ ଶବ ଦାହ ହେବ।
ସରକାର ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ବିଚାର ବିମର୍ଶ କରି ସ୍ୱର୍ଗଦ୍ୱାରରୁ ଏହି ପଦକ୍ଷେପ ନେବେ ସରକାର| ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସୂଚନାରୁ ପ୍ରକାଶ, ସ୍ୱର୍ଗଦ୍ୱାରକୁ ପ୍ରତିଦିନ ଶହଶହ ମୃତଦେହ ଆସୁଛି। ଶବ ଦାହ ପାଇଁ ଶହଶହ କ୍ୱିଣ୍ଟାଲ୍ କାଠ ଆବଶ୍ୟକ ପଡ଼ୁଛି। ଶବ ଦାହ ପାଇଁ ଗଛ କଟା ଯାଉଥିବା ବେଳେ ପରିବେଶ ମଧ୍ୟ ପ୍ରଦୂଷଣ ହେଉଛି। ଅନେକ ସମୟରେ କାଠର ଘୋର ଅଭାବ ଦେଖାଦେଉଛି। ଯେଉଁଥିପାଇଁ ଶବ ଦାହ କରିବାକୁ ପରିବାର ପରିଜନ ଆସି ନାନା ଅସୁବିଧାରେ ପଡ଼ୁଛନ୍ତି।
ଏଥିରୁ ମୁକୁଳିବା ପାଇଁ ରାଜ୍ୟ ସରକାର ଗୋବର ଘସିର ସାହାରା ନେବାକୁ ଯୋଜନା କରୁଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଆଜି ଦୁନିଆରେ ସଭ୍ୟ ସମାଜ ଗୋ ମାତାଙ୍କଠାରୁ ଦୂରେଇ ଗଲେଣି। ଘରେ ଗୋରୁ ପାଳିବାକୁ ପସନ୍ଦ କରୁନାହାନ୍ତି। ତାହାହେଲେ ଏତେ ପରିମାଣର ଗୋବର ଘସି ଆସିବ କେଉଁଠୁ? ରାଜ୍ୟ ସରକାର କହୁଛନ୍ତି ଗୋ’ ଚାଷ ପାଇଁ ‘କାମଧେନୁ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରକୃତରେ ଏହି ଯୋଜନା କେତେ ଫଳପ୍ରଦ ହେଉଛି ଓ କେବେଠାରୁ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଘସିରେ ଶବ ଦାହ ହେଉଛି, ତାହା ସମୟ କହିବ।