ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ବିଶ୍ବ ପାଇଁ ଘାତକ ସାଜିଛି ପଲ୍ୟୁସନ୍ । ଖାଲି ଯେ ଘାତକ ସାଜିଛି ତାହେ ନୁହେଁ, ବରଂ ସ୍ଲୋ ପଏଜନର ରୂପ ନେଇସାରିଲାଣି ପଲ୍ୟୁସନ୍। ଏହାର ପରିଣାମ ସ୍ୱରୂପ ବର୍ଷକରେ ଗଲାଣି ୯୦ ଲକ୍ଷ ଲୋକଙ୍କର ଜୀବନ। ଏଭଳି ସାଙ୍ଘାତିକ ସତ କୁ ସାମ୍ନାକୁ ଆଣିଛି ‘ଦି ଲାନ୍ସେଟ୍ ପ୍ଲାନେଟେରି ହେଲ୍ଥ୍’ ଜର୍ଣ୍ଣାଲ୍। ବିଶ୍ବର ଏ ଦୟନୀୟ ସ୍ଥିତି ପାଇଁ ବିଭିନ୍ନ ପ୍ରକାରର ପ୍ରଦୂଷଣକୁ ଦାୟୀ କରିଛି ଜର୍ଣ୍ଣାଲ୍। ଏହି ପ୍ରଦୂଷଣର ପ୍ରଭାବ ଯୁଦ୍ଧ, ଆତଙ୍କବାଦ, ମ୍ୟାଲେରିଆ, ଏଚ୍.ଆଇ.ଭି, ଯକ୍ଷ୍ମା, ଡ୍ରଗ୍ସ ଓ ମଦ୍ୟପାନଠାରୁ ଅଧିକ ବୋଲି କହିଛନ୍ତି ପ୍ରଦୂଷଣ ଓ ସ୍ୱାସ୍ଥ୍ୟ ଉପରେ କାର୍ୟ୍ୟ କରୁଥିବା ଲାନସେଟ୍ କମିଶନ । ବାର୍ଷିକ ପାଖାପାଖି ୨.୪ ନିୟୁତ ଏବଂ ପ୍ରାୟ ୨.୨ ନିୟୁତ ମୃତ୍ୟୁ ସହ ଯଥାକ୍ରମେ ଭାରତ ଓ ଚୀନ୍ ଏହି ତାଲିକାର ଶୀର୍ଷରେ ଅଛନ୍ତି। ସେହିପରି ବିଶ୍ବର ୧୦ଟି ପୂର୍ଣ୍ଣ ଶିଳ୍ପାୟନ ହୋଇଥିବା ଦେଶରେ ୨୦୧୯ରେ ୧୪୨,୮୮୩ ଲୋକଙ୍କ ମୃତ୍ୟୁ ସହ ଆମେରିକା ଏହାର ୭ମ ସ୍ଥାନରେ ରହିଛି।
୨୦୦୦ ମସିହାରୁ ଚାଲିଥିବା ଏହି ଅଧ୍ୟୟନ କହିଛି ପ୍ରଦୂଷଣ ଯୋଗୁ ଭାରତରେ ସର୍ବାଧିକ ୨୪ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ଭାରତରେ ପ୍ରତି ଲକ୍ଷେ ଲୋକରେ ୧୭୦ ଜଣଙ୍କର ପ୍ରଦୂଷଣ ଯୋଗୁ ମୃତ୍ୟୁ ହୋଇଛି । ୨୦୧୯ ମସିହାରେ, କେବଳ ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ୧୬.୭ ଲକ୍ଷ ଲୋକ ମୃତ୍ୟୁ ହୋଇଥିବା ବେଳେ ଚୀନରେ ୨୦ ଲକ୍ଷ ୧୭ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସବୁଠୁ ବଡ କଥା ହେଉଛି ୯୦ ପ୍ରତିଶତରୁ ଅଧିକ ପ୍ରଦୂଷଣ ଜନିତ ମୃତ୍ୟୁ ସ୍ୱଳ୍ପ ଆୟକାରୀ ଏବଂ ମଧ୍ୟବିତ୍ତ ଦେଶରେ ଘଟୁଛି । କିନ୍ତୁ ଭାରତରେ ୨୦୧୫ ଠୁ ଏହି ହାରରେ ସାମାନ୍ୟ ସୁଧାର ଆସିଛି । ସେପଟେ ବିଶ୍ୱରେ କେବଳ ବାୟୁ ପ୍ରଦୂଷଣ ଯୋଗୁଁ ୬୬ ଲକ୍ଷ ୭ ହଜାର ଲୋକ ପ୍ରାଣ ହରାଇଛନ୍ତି । ବିପଦଜ୍ଜନକ ରାସାୟନିକ ପଦାର୍ଥ ବ୍ୟବହାର ହେତୁ ୧୭ ଲକ୍ଷ ଲୋକ ଜୀବନ ଯାଇଛି ।
ଏବେ ବି ସମୟ ଅଛି। ବିଶ୍ୱରୁ ପ୍ରଦୂଷଣ ଭଳି ଦୂରବସ୍ଥାକୁ ଦୂରେଇବା ପାଇଁ ଆମକୁ ସଚେତନ ହେବାକୁ ପଡିବ। ଏ ଦିଗରେ ଏୱାରନେସ ପାଇଁ ବିଭିନ୍ନ ସଂଗଠନ ମାନେ ମଧ୍ୟ ଆଗକୁ ଗୋଡ଼ କାଢନ୍ତୁ। ନଚେତ୍ ବିଶ୍ବ ଯେ ଦିନେ ବିନାଶ ମୁହଁ କୁ ଠେଲି ହୋଇନଯିବ, କିଛି ଅସମ୍ଭବ ନୁହେଁ।