ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି ରହିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଉପସ୍ଥିତ ରହିଛନ୍ତି। ପରିଚାଳନା କମିଟିର ସେବାୟତ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ବୈଠକରେ ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଉପରେ ମୋହର ବାଜି ପାରେ। ଗତକାଲି ଛତିଶା ନିଯୋଗ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଏହି ବୈଠକରେ ମୋହର ଲାଗିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ସୋମବାର ନୀତି ସବକମିଟି ଓ ଛତିଶା ନିଯୋଗର ଯୁଗ୍ମ ବୈଠକ ବସିଥିଲା । ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତିରେ ଜୁଲାଇ ୭ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଅପରାହ୍ନ ୫ ଟାରେ ରଥଟଣା କାର୍ଯ୍ୟକ୍ରମ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।

ସେପଟେ ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ପରେ ଚଳିତବର୍ଷ ଆହ୍ବାନପୂର୍ଣ୍ଣ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ମହାପ୍ରଭୁ ୧୩ ଦିନିଆ ଅଣସର ବିଜେ କରିବେ । ଏଥିସହିତ ଗୋଟିଏ ଦିନରେ ନେତ୍ରୋତ୍ସବ,ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି । ଏଥିପାଇଁ ପଟିଦିଅଁଙ୍କ ଠାରୁ ନୁହେଁ ବରଂ ମହାପ୍ରଭୁଙ୍କ ନିକଟରୁ ଆଞ୍ୟମାଳ ବିଜେ ହେବ ବୋଲି ମହାପ୍ରଭୁଙ୍କ ବାଡଗ୍ରାହୀ କହିଛନ୍ତି। ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହାରେ ରଥଯାତ୍ରା ବେଳେ ଏଭଳି ତିଥି ପଡିଥିବାରୁ ଏଥର ସେହି ଆଧାରରେ ସମସ୍ତ କାର୍ଯ୍ୟ ହେବ ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ ।

Leave A Reply

Your email address will not be published.